ବିଷଧର ନାଗ ସାପ ସହ ଲଢ଼ି ମାଲିକ ପାଇଁ ଜୀବନ ଦେଲା “ଟାଇସନ”

କୋରାପୁଟ(କେନ୍ୟୁଜ): ହତା ଭିତରକୁ ପଶି ଆସିଥିଲା ଏକ ସାଢ଼େ ୩ ଫୁଟିଆ ନାଗ ସାପ । ଯଦିଓ ଅନ୍ୟ ୩ ଜଣ ସାଥୀ ଦୂରକୁ ଚାଲି ଗଲେ, ହେଲେ “ଟାଇସନ” କିନ୍ତୁ ତାର ମାଲିକ ପାଇଁ ବିଷଧର ନାଗ ସାପ ସହ ଲଢ଼ି ବସିଲା, ଏବଂ ନାଗ ସାପ କାମୁଡ଼ାର କିଛି ସମୟ ଭିତରେ ତାର ପ୍ରାଣ ବାୟୁ ଉଡି ଯାଇଥିଲା।

ଏଇ ଟାଇସନ ହେଉଛି “ବକ୍ସର୍” ବ୍ରିଡ଼ ର ଏକ ଅଢେଇ ବର୍ଷର କୁକୁର । କୋରାପୁଟ ଜିଲ୍ଲାର ସୁନାବେଡା ଠାରେ ସୁନାବେଡା ପବ୍ଲିକ ସ୍କୁଲ ରେ ଅନ୍ୟ ୩ ଟି ବକ୍ସର୍ ଙ୍କ ସହ ମିଶି ଟାଇସନ ମଧ୍ୟ ରହୁଥିଲା । ଗତକାଲି ସନ୍ଧ୍ୟା ପ୍ରାୟ ୮.୪୫ ବେଳେ ଏକ ନାଗ ସାପ କୁ ଗ୍ୟାରେଜ ନିକଟରେ ଦେଖି ଟାଇସନ ତା ସହିତ ଲଢ଼ି ଥିଲା। ଯାହା ସ୍କୁଲ ରେ କେହି ବି ଦେଖି ପାରି ନଥିଲେ । ଟାଇସନ ଭୁକିବା ଶୁଣି ସ୍କୁଲ କର୍ମଚାରୀ ନାଗ ସାପକୁ ଦେଖି ସ୍ନେକ ହେଲ୍ପ ଲାଇନକୁ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । ସ୍ନେକ ହେଲ୍ପ ଲାଇନର ସଦସ୍ୟ ସୁଜିତ କୁମାର ମହାନ୍ତି ଘଟଣାସ୍ଥଳରେ ପହଂଚିବା ବେଳକୁ ସ୍କୁଲ କର୍ମଚାରୀ ୪ଟି ଯାକ କୁକୁରଙ୍କୁ ଘରେ ଭର୍ତ୍ତି କରି ଦେଇଥିଲେ ।

ସାପ କୁ ଉଦ୍ଧାର କରିବା ସମୟରେ ଚଟାଣରେ କିଛି ରକ୍ତ ପଡିବା ଦେଖିବାକୁ ପାଇଥିଲେ ସୁଜିତ । ସ୍କୁଲ କର୍ମଚାରୀଙ୍କୁ ସାପ – କୁକୁର ଲଢେଇ ଚାଲି ଥିଲା କି ନାହିଁ ପଚାରିବାରୁ, ସେମାନେ ସେମିତି କିଛି ଦେଖି ନଥିବା କଥା କହିଥିଲେ । ତେବେ ଯେହେତୁ ନାଗ ସାପର ଦେହ ରେ କୌଣସି କ୍ଷତ ଆଦୌ ନଥିଲା, ଚଟାଣ ରେ ରକ୍ତ ପଡିବା ଘଟଣା କୁ ସୁଜିତ ସହଜରେ ହଜମ କରି ପାରିନଥିଲେ । ଘର ଭିତରେ ବନ୍ଦ ଥିବା କୁକୁର ମାନଙ୍କୁ ନିରୀକ୍ଷଣ କରିବାରୁ, ଗୋଟିଏ କୁକୁର ଶୋଇ ରହିଥିଲା ଏବଂ ଚଳ ଚଞ୍ଚଳ ନଥିବା ଦେଖିବାକୁ ପାଇଲେ ସୁଜିତ ।

ଟାଇସନ ଦେହରେ ଟର୍ଚ୍ଚ ଲାଇଟ ପକେଇ ସୁଜିତ ଟିକେ ନିରୀକ୍ଷଣ କଲେ। ଆଉ ଦେଖିଲେ ତା ମୁହଁ ରେ ରକ୍ତ ଲାଗିଥିବା ଏବଂ ମୁହଁ ଫୁଲିଥିବା ମଧ୍ୟ ଦେଖିବାକୁ ପାଇଲେ । ଅର୍ଥାତ, ନାଗ ସାପ ଟାଇସନ ର ମୁହଁକୁ ହିଁ କାମୁଡି ଥିଲା । ସଙ୍ଗେ ସଙ୍ଗେ ଏଇ ଘଟଣା ବିଷୟରେ ସୁଜିତ ଭୁବନେଶ୍ୱର ରେ ସ୍ନେକ ହେଲ୍ପ ଲାଇନ ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଙ୍କୁ ଜଣେଇ ପରାମର୍ଶ ଲୋଡିଥିଲେ । ଶୁଭେନ୍ଦୁ କୁକୁର ର ବ୍ୟବହାର ଜାଣିବା ପାଇଁ କିଛି ଭଡିଓ ମଗେଇଥିଲେ । ସୁଜିତ ଙ୍କ ପାଖରୁ ଟାଇସନ ର ଭିଡ଼ିଓ ଦେଖିବା ପରେ ତାକୁ ପ୍ରାଣୀ ଚିକିତ୍ସାଳୟ କୁ ନେବା ପାଇଁ ପରାମର୍ଶ ଦେଇଥିଲେ । ହେଲେ କିଛି ପଦକ୍ଷେପ ନେବା ପୂର୍ବରୁ ଟାଇସନ ର ସ୍ୱାସ୍ଥ୍ୟରେ ଦ୍ରୁତ ଅବନତି ଘଟି ଚାଲିଲା । ନାଗ ସାପର ଉତ୍କଟ ବିଷ ପ୍ରଭାବରେ ଅତ୍ୟନ୍ତ ଯନ୍ତ୍ରଣାରେ ଛଟପଟ ହୋଇ ଟାଇସନ ସବୁଦିନ ପାଇଁ ଆଖି ବୁଜି ଦେଇଥିଲା ।

କେବଳ ନିଜ ମୋବାଇଲ ରେ ଟାଇସନର ମୃତ୍ୟୁବରଣ କରିବା ଭିଡ଼ିଓ ସୁଟିଂ କରିବା ଛଡା ସୁଜିତ ଆଉ କିଛି କରି ପାରି ନଥିଲେ । ମୋ ଆଖି ଆଗରେ କୁକୁର ଟି ଯେଉଁଭଳି ଛଟପଟ ହୋଇ ମରିଗଲା, ସେଥି ପାଇଁ ମୁଁ ଅତ୍ୟନ୍ତ ମର୍ମାହତ ବୋଲି ସୁଜିତ କହିଛନ୍ତି । ଏଇ ଘଟଣା ରେ ପ୍ରତିକ୍ରିୟା ପ୍ରକାଶ କରି ସ୍ନେକ ହେଲ୍ପ ଲାଇନ ର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି “ଟାଇସନକୁ ଯଦି ସୁନାବେଡା ବଦଳରେ ରାଜଧାନୀ ଭୁବନେଶ୍ବରରେ ନାଗ ସାପ କାମୁଡି ଥାନ୍ତା, ତେବେ ମଧ୍ୟ ସିଏ ଚିକିତ୍ସା ନପାଇ ମରିଥାନ୍ତା । କାରଣ, ମଣିଷ ପାଇଁ ସାପ କାମୁଡା ଇଂଜେକସନ ବା ଆଣ୍ଟି ଭେନମ (ASV) ସରକାରୀ ଡାକ୍ତରଖାନାରେ ମାଗଣାରେ ମିଳୁ ଥିବାରୁ, ଘରୋଇ ଔଷଧ ଦୋକାନ ମାନେ ଏଇ ମୂଲ୍ୟବାନ ଔଷଧ କୁ ନିଜ ଦୋକାନରେ ରଖନ୍ତି ନାହିଁ ।

ଏଣୁ କୁକୁର ବା ଗାଈ ଆଦି ଗୃହପାଳିତ ପ୍ରାଣୀ ମାନଙ୍କୁ ବିଷଧର ସାପ କାମୁଡ଼ିଲେ, ଆଣ୍ଟି ଭେନମ ଯୋଗାଡ଼ ହୋଇ ପାରେ ନାହିଁ । ସରକାରୀ ଡାକ୍ତରଖାନାରେ ଯଦିଓ ଆଣ୍ଟି ଭେନମ ମହଜୁଦ ରହିଥାଏ, ତାହା କେବଳ ମଣିଷ ମାନଙ୍କ ପାଇଁ । ଏଣୁ ସେମାନେ ମଧ୍ୟ ଦେଇ ପାରିବେ ନାହିଁ” । ଆଗରୁ ଏଇ ଭଳି ଘଟଣା ରାଜ୍ୟରେ ଘଟିଛି । ଭୁବନେଶ୍ୱର ଅନେକ ସମୟରେ କୁକୁର ବା ଗାଇଙ୍କୁ ବିଷଧର ସାପ କାମୁଡିବା ପରେ ମାଲିକ ମାନେ ଓୟୁଏଟି କୁ ଆଣିବା ପରେ ଆଣ୍ଟି ଭେନମ ଯୋଗାଡ଼ ହୋଇ ନପାରି, ସେମାନେ ମୃତ୍ୟୁବରଣ କରନ୍ତି ।

ଗୃହପାଳିତ ପ୍ରାଣୀ ମାନଙ୍କୁ ବିଷଧର ସାପ କାମୁଡ଼ିଲେ ଖାଲି ରାଜ୍ୟ କଣ, ସାରା ଭାରତରେ କୌଣସି ନିର୍ଦ୍ଦିଷ୍ଟ ପଲିସି ଏଯାବତ ନାହିଁ ବୋଲି କ୍ଷୋଭର ସହିତ କହିଛନ୍ତି ଶୁଭେନ୍ଦୁ ମଲ୍ଲିକ । ଯେଉଁଦିନ କେଉଁ ଜଣେ ଭିଆଇପି ବା ଭିଭିଆଇପି ଙ୍କ ଘରେ ପୋଷା କୁକୁରକୁ ବିଷଧର ସାପ କାମୁଡିବ ସେତେବେଳେ ଯାଇ ସରକାର ପ୍ରାଣୀ ମାନଙ୍କ ପାଇଁ ପଲିସି ତିଆରି କରିବେ, ଏବଂ ସେ ପର୍ଯ୍ୟନ୍ତ ଗୃହପାଳିତ ପ୍ରାଣୀ ମାନେ ବିଷଧର ସାପ କାମୁଡ଼ାରେ ଅଯଥନୀୟ ଯନ୍ତ୍ରଣା ପାଇ ବିନା ଚିକିତ୍ସା ରେ ମରୁଥିବେ ବୋଲି ଶୁଭେନ୍ଦୁ କ୍ଷୋଭର ସହିତ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.