ଜଟଣୀ : ନାଗ ସାପ ସହ ଲଢ଼ି ମାଲିକ ପାଇଁ ଜୀବନ ଦେଇଦେଲା ‘ଟାଇସନ୍’

ଖୋର୍ଦ୍ଧା (କେ ନ୍ୟୁଜ୍) : ମାଲିକ ପାଇଁ ଜୀବନ ଦେଇଦେଲା ଟାଇସନ୍ । ଏ ଟାଇସନ୍ ମଣିଷ ନୁହେଁ ପ୍ରଭୁଭକ୍ତ କୁକୁରଟିଏ । ରାତି ଅଧରେ ଘରେ ପଶୁଥିବା ନାଗ ସାପକୁ ଭିତରକୁ ଯିବାକୁ ଦେଲାନାହିଁ । ନିଜେ ମରିଗଲା ସିନା ହେଲେ ଶତ୍ରୁକୁ ବି ଛାଡ଼ିଲା ନାହିଁ । ଜୀବନରୁ ମାରିଦେଲା ।
ଗତ ସୋମବାର ରାତି ପ୍ରାୟ ୨ଟା ବେଳେ ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ରହୁଥିବା ଅମିନ୍ ସରିଫଙ୍କ ଘରେ ପଶୁଥିଲା ଏହି ଭୟଙ୍କର ବିଷାକ୍ତ ନାଗ ସାପଟି । ହେଲେ ଠିକ୍ ଦୁଆର ମୁହଁରେ ଥିବା ଡାଲମାସିଆନ୍ କୁକୁର ଟାଇସନ୍ର ନଜର ପଡ଼ିଯାଇଥିଲା ସାପ ଉପରେ । ସାପକୁ ଭିତରକୁ ଛାଡ଼ିଲା ନାହିଁ ଟାଇସନ୍ । ସାପ ତାକୁ ଆକ୍ରମଣ କଲା । ଟାଇସନ୍ ବି ଛାଡ଼ିବା ଜନ୍ତୁ ନଥିଲା । ନିଜକୁ ବଞ୍ଚାଇ ପ୍ରତିଆକ୍ରମଣ କଲା । ବେଶ୍ କିଛି ସମୟ ଚାଲିଲା ଲଢ଼େଇ । ଏହି ସଂଘର୍ଷ ଭିତରେ ସାପକୁ କାମୁଡ଼ି ଗୁରୁତର ଆହତ କରିଦେଲା ଯୋଦ୍ଧା ଟାଇସନ୍ । ସେଇଠି ମରି ପଡ଼ିଲା ୩ ଫୁଟର ନାଗ । ହେଲେ ଲଢ଼େଇ ବେଳେ ସାପଟି ଟାଇସନ୍ର ବାମପଟ ପାଟି ପାଖକୁ କାମୁଡ଼ି ଦେଇଥିଲା । ଦେହରେ ବିଷ ଚରି ଗଲା । ତଥାପି ଜୀବନ ବଞ୍ଚାଇବାକୁ ଖୁବ୍ ସଂଘର୍ଷ କରିଥିଲା କଥା କହି ପାରୁନଥିବା ଜୀବଟି ।
କୁକୁର ଭୁକିବା ଶୁଣି ମାଲିକ ପରିବାର ଉଠି ଆସି ସବୁ ଘଟଣା ଜାଣିଲେ ମଧ୍ୟ ତାକୁ ବଞ୍ଚାଇ ପାରିନଥିଲେ । କାରଣ ତାକୁ ବଞ୍ଚାଇବା ପାଇଁ କୌଣସି ସାଧନ ନଥିଲା । ଶେଷରେ ଟଳି ପଡ଼ିଲା ଟାଇସନ୍ ସବୁଦିନ ପାଇଁ । ହେଲେ ସମସ୍ତଙ୍କ ମନରେ ରହିଗଲା ଅଭୁଲା ସ୍ମୃତି ହୋଇ । କେବଳ ତାର କର୍ମ ପାଇଁ । ପ୍ରଭୁ ଭକ୍ତି ଓ ସାହସ ପାଇଁ । ସେଇଥି ଲାଗି ତ କୁହାଯାଏ ମଣିଷର ସବୁଠାରୁ ବିଶ୍ୱସ୍ତ ହେଉଛି କୁକୁର ।
ଖୋର୍ଦ୍ଧା ଜିଲ୍ଲା ଜଟଣୀରୁ ସଂଗ୍ରାମ ହୋତାଙ୍କ ରିପୋର୍ଟ, କେ ନ୍ୟୁଜ୍