ମହେଶ୍ୱରଙ୍କୁ ଝୁରୁଛି ପୋଷା କୁକୁର, ଧର୍ଯ୍ୟହରା ହୋଇପଡୁଛନ୍ତି ତାଙ୍କ ସମର୍ଥକ
ମହେଶ୍ୱରଙ୍କ ଭାରି ପ୍ରିୟ ଥିଲା ଏଇ ପୋଷା କୁକୁର। ଆଉ ମହେଶ୍ୱର ମହାନ୍ତିଙ୍କ ବିୟୋଗ ପରେ ସେ ଖିଆପିଆ ଛାଡି ଘରସାରା ଖୋଜି ବୁଲୁଛି ତାଙ୍କୁ। କୁଆଡ଼େ ଗଲେ, କେତେବେଳେ ଆସିବେ ବୋଲି ଭାବି ଭାବି ସେ ଘର ସାରା ଘୁରି ବୁଲୁଛି ।

ପୁରୀ (କେନ୍ୟୁଜ୍): ଭାଙ୍ଗିଗଲା ମୋ ସାହାରା । ଏକା କରି ଦେଇ ଚାଲିଗଲେ ସେହି ଜଗନ୍ନାଥଙ୍କ ପାଖକୁ । ସମସ୍ତଙ୍କ କଥା ବୁଝୁଥିଲେ । ଦେଖିଦେଲେ ଦେହ ମୁଣ୍ଡ ଭଲ ମନ୍ଦ କଥା ପଚାରୁଥିଲେ । ହେଲେ ସବୁ ଛାଡି ଚାଲିଗଲେ ଆରପାରିକୁ । ମହେଶ୍ୱର ମହାନ୍ତିଙ୍କ ବିୟୋଗକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏହି ବ୍ୟକ୍ତି ଜଣକ । ଭାଇ ମୋର ଚାଲିଗଲା ବୋଲି କହି କହି ସେ ଧର୍ଯ୍ୟହରା ହୋଇପଡୁଛନ୍ତି । ଠିକ୍ ସେ ଦିପଦକଥା ବି କହିପାରୁନାହାନ୍ତି । ବାରମ୍ବାର ନିଜ ଛାତି ନିଜ ମୁଣ୍ଡକୁ ଜାବୁଡି ଧରିପକାଉଛନ୍ତି। ଯାହାକୁ ଦେଖିଲେ ଆପଣ ଅନୁମାନ କରିପାରୁଥିବେ ତାଙ୍କ କଷ୍ଟକୁ । ସ୍ୱର୍ଗତ ମହେଶ୍ୱରଙ୍କ ଏକ ଫଟୋ ଚିତ୍ରକୁ ଧରି ସେ ତାଙ୍କ ଆସିବା ବାଟକୁ ସେମିତି ଅପେକ୍ଷା କରି ରହିଛନ୍ତି ।
ମଣିଷ ତ ମଣିଷ ତାଙ୍କ ଭଲ ପାଇବା ପାଇ ଏଇ ପୋଷା କୁକୁରଟି ବି ବ୍ୟତିବ୍ୟସ୍ତ ହୋଇପଡୁଛି । ଯାହାର ନା ମାକ୍ସ । ଯେଉଁ ଘର ଦିନେ ଗହଳ ଚହଳ ଲାଗୁଥିଲା ଆଜି କାହିଁକି ତାକୁ ଭାରି ଫାଙ୍କା ଫଶଙ୍କା ଲାଗୁଛି । ତା ବାବୁ ତାକୁ ଯାଉଣୁ ଆସୁଣୁ ଭାରି ଗେଲ କରୁଥିଲେ, ବାବୁଙ୍କୁ ଦେଖି ସେ ଭାରି ଖୁସି ହୋଇପଡୁଥିଲା । ହେଲେ ଆଜି ତା ବାବୁଙ୍କୁ କାଇଁ ସେ ଦେଖୁନି । ବାବୁ କୁଆଡେ ବୋଧେ ଯାଇଛନ୍ତି ସେ କଥା ମନେ ମନେ ଭାବୁଛି ପୋଷା କୁକୁରଟି । ମାଲିକକୁ ଭାରି ଝୁରୁଛି ।
ଯାହା ଶୁଣିବାକୁ ମିଳୁଛି ମହେଶ୍ୱରଙ୍କ ଭାରି ପ୍ରିୟ ଥିଲା ଏଇ ପୋଷା କୁକୁର। ଆଉ ମହେଶ୍ୱର ମହାନ୍ତିଙ୍କ ବିୟୋଗ ପରେ ସେ ଖିଆପିଆ ଛାଡି ଘରସାରା ଖୋଜି ବୁଲୁଛି ତାଙ୍କୁ। କୁଆଡ଼େ ଗଲେ, କେତେବେଳେ ଆସିବେ ବୋଲି ଭାବି ଭାବି ସେ ଘର ସାରା ଘୁରି ବୁଲୁଛି। ଆଉ ବୁଲି ବୁଲି ହାଲିଆ ହୋଇଗଲେ ଗୋଟେ ଯାଗାରେ ବସିପଡଇ ଆଖିରୁ ଲୁହ ଗଡ଼ାଉଛି । କିଏ ବା ତାକୁ ବୁଝାଇବ ତା ମାଲିକ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଯାଇଛନ୍ତି ବୋଲି ।