ସ୍ୱେରେଜ ଲାଇନ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ (କେନ୍ୟୁଜ): ସ୍ୱେରେଜ ଲାଇନ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ପ୍ରସଙ୍ଗରେ ସତ୍ୟପାଠ ଦାଖଲ । ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ୍‌ ଆର କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ୱାଟର କର୍ପୋରେସନ ପକ୍ଷରୁ ୧୫୧ ପୃଷ୍ଠାର ସତ୍ୟପାଠ ଦାଖଲ କରାଯାଇଛି ।

ୱାଟର କର୍ପୋରେସନର ଏହି ସତ୍ୟପାଠ ଉପରେ ଜବାବ ରଖିବା ପାଇଁ ଆମିକସକ୍ୟୁରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲାର ପରବର୍ତୀ ଶୁଣାଣି ଜୁଲାଇ ୧୩ ତାରିଖକୁ ଧାର୍ଯ୍ୟ କରିଛନ୍ତି ଅଦାଲତ । କଟକର ସିଡିଏରେ ସ୍ୱେରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ଦୁଇ ଶ୍ରମିକଙ୍କ ପରିବାରକୁ ଘରୋଇ ଠିକା ସଂସ୍ଥା ୧୦ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ପ୍ରଦାନ କରିଛି । ଏହି ଘଟଣାରେ ଆହତଙ୍କୁ ଠିକା ସଂସ୍ଥା ୨ ଲକ୍ଷ ଟଙ୍କା ଦେଇଛି ।

ଅନ୍ୟପକ୍ଷେ ଭୁବନେଶ୍ଵରରେ ସ୍ୱେରେଜ ଲାଇନ ସଫେଇ ବେଳେ ପ୍ରାଣ ହରାଇଥିବା ମୟୂରଭଞ୍ଜ ଓ ଝାଡଖଣ୍ଡର ଦୁଇ ଶ୍ରମକଙ୍କୁ କ୍ଷତିପୂରଣ ବାବଦରେ ଘରୋଇ ନିର୍ମାଣକାରୀ ସଂସ୍ଥା ୨୧ ଲକ୍ଷ ଟଙ୍କା ଦେଇଛି । ସେହିଭଳି ଭାବେ ୱାଟର କର୍ପୋରେସନ୍‌ ପକ୍ଷରୁ ଦୁଇ ପୀଡିତଙ୍କ ପରିବାର ପାଇଁ ୫ ଲକ୍ଷ ଓ ୧ ଲକ୍ଷ ୨୬ହଜାର ଟଙ୍କା କୋର୍ଟରେ ଜମା କରାଯାଇଛି । ୨୦୨୧ ମସିହା ମାର୍ଚ୍ଚ ୧୯ରେ ଭୁବନେଶ୍ୱର ବଡ଼ଗଡ଼ ବ୍ରହ୍ମେଶ୍ୱର ବାଗ ଏବଂ ଏପ୍ରିଲ ୧୫ରେ କଟକ ସିଡିଏ ସେକ୍ଟର ୧୦ରେ ଘଟିଥିଲା ଦୁଇଟି ଅଘଟଣ । ଏହି ଘଟଣାକୁ ହାଇକୋର୍ଟ ଅତି ଗମ୍ଭୀରତାର ସହ ଗ୍ରହଣ କରିବା ସହ ନିଜ ଆଡୁ ଏ ସଂକ୍ରାନ୍ତରେ ମାମଲା ରୁଜୁ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.