ଚେଇଁ ଉଠିଲା ପ୍ରଶାସନ, ଶଯ୍ୟାଶାୟୀ ଯବାନ ରାମସିଂଙ୍କୁ ମିଳିଲା ଚିକିତ୍ସା ସୁବିଧା

ବିଳମ୍ବରେ ହେଉ ପଛେ ଯବାନଙ୍କୁ ମିଳିଲା ପ୍ରଶାସନର ସହଯୋଗ ଓ ସହାୟତା। ମାଲକାନଗିରି ଜିଲ୍ଲା ଗୁଦନାଡ ଗାଁର ଶଯ୍ୟାଶାୟୀ ଓଏପିଏଫ୍‌ ଯବାନ ରାମସିଂ ବୁରୁଦାଙ୍କୁ ଚିକିତ୍ସା ସହାୟତା ମିଳିଛି। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆବଶ୍ୟକ ହେଲେ ଅନ୍ୟତ୍ର ସ୍ଥାନାନ୍ତର ବି କରାଯିବ। ଏନେଇ ବିଶେଷଜ୍ଞ ଡାକ୍ତରଙ୍କ ସହ ବିଚାରବିମର୍ଶ କରାଯାଉଛି। ଗତକାଲି ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ରାମସିଂଙ୍କୁ ତାଙ୍କ ଘରୁ ହସ୍ପିଟାଲ ଅଣାଯାଇଥିଲା। ରାମସିଂଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ତାଙ୍କ ପରିବାରର ଦୁର୍ଦ୍ଦିନ ସମ୍ପର୍କରେ କଳିଙ୍ଗ ଟିଭିରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ମାଲକାନଗିରି ଏସ୍‌ପି ରାମସିଂଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାସହ ତାଙ୍କ ଦରମା ବନ୍ଦ ହେବା ଉପରେ ବରଗଡ଼ ଜିଲ୍ଲା ପୋଲିସ ସହ କଥା ହେବେ ବୋଲି କହିଥିଲେ। ଗତବର୍ଷ ବାଇକ୍‌ରେ ଜଗଦଲପୁରରୁ ପଦ୍ମପୁର ଯିବା ବେଳେ ଏକ ଦୁର୍ଘଟଣା ଶିକାର ହୋଇଥିଲେ ରାମସିଂହ। ତାପରଠୁ ସେ ଶର୍ଯ୍ୟାଶାୟୀ। ରାମସିଂଙ୍କ ଚିକିତ୍ସାରେ ବହୁ ଅର୍ଥ ଖର୍ଚ୍ଚ ହେଲାଣି। ତାଙ୍କର ଏଭଳି ଦୁର୍ଦ୍ଦିନରେ ପୋଲିସ ବିଭାଗ କି ରାଜ୍ୟ ସରକାର କେହି ବି ସହାୟତା କରି ନଥିବା ପରିବାର ଲୋକ କହିଛନ୍ତି। ଯାହା କିଛି ଥିଲା ପୁଅର ଚିକିତ୍ସା ପାଇଁ ସବୁ କିଛି ବିକ୍ରି କରିସାରିଲେଣି ବାପା। ୨୦୦୯ରେ ନକ୍ସଲ ଦମନ ପାଇଁ ମାଲକାନଗିରି ଜିଲ୍ଲାରେ ଏସ.ପି.ଓ ଭାବେ ନିଯୁକ୍ତି ପାଇଥିଲେ ରାମସିଂହ। ଉଲ୍ଲେଖନୀୟ ସେବା ପାଇଁ ୨୦୧୧ରେ ପଦନ୍ନୋତି ପାଇ ଓ.ଏ.ପି.ଏଫ୍‌ରେ ନିଯୁକ୍ତି ମିଳିଥିଲା । ଆଡଭାନ୍ସଡ୍‌ ଟ୍ରେନିଂ ପାଇବା ପରେ ବରଗଡ଼ ଜିଲ୍ଲା ଜଗଦଲପୁର ସିଆରପିଏଫ୍‌ କ୍ୟାମ୍ପରେ ମୁତୟନ ହୋଇଥିଲେ।