ସାଇକେଲ ଆରୋହୀଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ, ଦୁର୍ଘଟଣା ପରେ କଟା ହାତ ନେଇ ପଳାଇଲା ଗାଡି

ଜଳେଶ୍ୱର : ଦୁର୍ଘଟଣାରେ ହାତ ହରାଇଲେ ବୃଦ୍ଧ । ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ୨୦ କିଲୋମିଟର ଘୋଷାଡି ନେଲା ପିକଅପ୍ ଭ୍ୟାନ । ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଗୁରୁତର ସାଇକେଲ ଆରୋହୀ ଗୁରୁଦାସପୁର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ମଲ୍ଲିକଙ୍କୁ ଡାକ୍ତରଖାନା ପଠାଇଲେ ସ୍ଥାନୀୟ ଲୋକେ ।
ସୂଚନା ଅନୁସାରେ ଜଳେଶ୍ବର ଥାନା ଗୁରୁଦାସପୁର ଗାଁର ପୂର୍ଣ୍ଣଚନ୍ଦ୍ର ମହାନ୍ତି ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଇଥିଲା । ଫଳରେ ବୃଦ୍ଧଙ୍କ ହାତ କଟିଯାଇଥିଲା । ଦୁର୍ଘଟଣା ଘଟାଇ କଟା ହାତ ସହ ପିକଅପ ଭ୍ଯାନ୍ ଡ୍ରାଇଭର ଗାଡି ନେଇ ଚମ୍ପଟ ମାରିଥିବା ବେଳେ ପିକଅପ୍ ଡାଲାରେ କଟା ହାତ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ । ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଳେଶ୍ବର ହସପିଟାଲରେ ଭର୍ତ୍ତି କରିଥିଲେ ଲୋକେ । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଛି । ଡ୍ରାଇଭର ଫେରାର ହୋଇଯାଉଥିବାବେଳେ ସ୍ଥାନୀୟ ଲୋକେ କାବୁ କରି ରାଇବଣିଆ ପୋଲିସକୁ ଖବର ଦେଇଥିଲେ । ପୋଲିସ ଡ୍ରାଇଭରକୁ ଅଟକ ରଖି ତଦନ୍ତ କରୁଛି ।
ଆହୁରି ପଢ଼ନ୍ତୁ : ନିଖୋଜ ନାବାଳିକାକୁ ଖୋଜୁ ଖୋଜୁ ଦେହ ବ୍ୟବସାୟ ଗ୍ୟାଙ୍ଗକୁ ଧରିଲା ପୋଲିସ, ୧୨ ଗିରଫ