ରାମ ନବମୀରେ ଦୁର୍ଘଟଣା : ଓଲଟିଲା ତୀର୍ଥଯାତ୍ରୀ ବସ୍, ଜଣେ ମୃତ; ୨୦ରୁ ଊର୍ଦ୍ଧ୍ବ ଗୁରୁତର

ଭୁବନେଶ୍ବର/ ପିପିଲି : ଭୁବନେଶ୍ବର ଉତ୍ତରାରେ ବଡ଼ ଦୁର୍ଘଟଣା ଘଟିଛି । ବସ୍ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ଜଗନ୍ନାଥଙ୍କ ଦର୍ଶନ ପାଇଁ ୬୫ରୁ ଅଧିକ ବାଂଲା ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଅଭିମୁଖେ ବାହାରିଥିଲା ବସ । ବିଳମ୍ବିତ ରାତିରେ ପିପିଲି ଉତ୍ତରା ଛକ ନିକଟ ଭୁବନେଶ୍ୱର – ପୁରୀ ଏନଏଚ ୩୧୬ ସିଫା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସୂଚନା ଅନୁସାରେ ପୁରୀ –ଭୁବନେଶ୍ବର ଜାତୀୟ ରାଜପଥର ସିଫା ଠାରେ ଆଜି ରାତି ୩ଟା ବେଳେ ପୁରୀ ଯାଉଥିବା ଏକ ଘରୋଇ ବସ ଓଲଟି ପଡ଼ିଛି । ଦୁର୍ଘଟଣାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଗୁରୁତର ହୋଇଛନ୍ତି । ପିପିଲି, ଭୁବନେଶ୍ବର ଓ ବାଳକାଟି ଅଗ୍ନିଶମ ବାହିନୀ ଓ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲା । ଏପରିକି ଦୁର୍ଘଟଣା ଖବର ଶୁଣି ପାଖରେ ଚାଲୁଥିବା ଅପେରାରୁ ଦର୍ଶକ ମାନେ ଦୌଡ଼ି ଆସିଥିଲେ ।
ଅନ୍ୟପଟେ ଆହତ ଯାତ୍ରୀମାନଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି । କାଶୀ ବିଶ୍ବନାଥ ଦର୍ଶନ ସାରି ପୁରୀ ଯାଉଥିଲା ବେଳେ ଦୁର୍ଘଟଣା ଘଟିଥିଲା । ଡ୍ରାଇଭର ଆଖି ଲାଗିଯାଇଥିବାରୁ ଦୁର୍ଘଟଣା ଘଟିଥିବା ସୂଚନା ।
ଆହୁରି ପଢ଼ନ୍ତୁ : ପାଣିକୋଇଲି ପୁରୁଣା ଟୋଲଗେଟ ନିକଟରେ ଦୁର୍ଘଟଣା, କୁନିପୁଅ ଆଖି ସାମ୍ନାରେ ଚାଲିଗଲା ମା’ର ଜୀବନ