ବିରଳ ଅଲିଭ ରିଡଲେ କଇଁଛଙ୍କ ଅମର ଆତ୍ମାର ସଦଗତି ପାଇଁ ପିଣ୍ଡ ଦାନ କଲେ ପରିବେଶବିତ

କୋଣାର୍କ : ମଣ୍ଡଳ ପଡିଛି, ଧୂପ ଦୀପ ବି ଲାଗିଛି । ଦୁବ, ଚାଉଳ ସାଙ୍ଗକୁ ଫୁଲ ଆଉ ଚନ୍ଦନ ସହ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ କୂଳରେ ଚାଲିଛି ତିଳ ତର୍ପଣ । ଆଗରେ ପରିବେଶବିତ ଏବଂ ପଛରେ ପ୍ରତିବାଦର ବ୍ୟାନର । ଏହା କୌଣସି ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ନୁହେଁ ବରଂ ବିରଳ ଅଲିଭ ରିଡଲେ କଇଁଛଙ୍କ ଅମର ଆତ୍ମାର ସଦଗତି କାମନାର କାର୍ଯ୍ୟକ୍ରମ । ଅଣ୍ଡା ଦେବାକୁ ଆସୁଛନ୍ତି କଇଁଛ କିନ୍ତୁ ବେଳାଭୂମିରେ ଲିଭି ଯାଉଛି ସେମାନଙ୍କ ଜୀବନ ଦୀପ । ହ୍ୟାଟ୍ରିକ ଛୁଇଁଛି ଚଳିତ ବର୍ଷ କଇଁଛ ମୃତ୍ୟୁ । ମୃତ କଇଁଛ କେଉଁଠି ବୁଲା କୁକୁର ଖାଉଛନ୍ତି ତ କେଉଁଠି ପଚି ଯାଇ ଦୁର୍ଗନ୍ଧ ସୃଷ୍ଟି କରୁଛି ପରିବେଶ ।
ଅନେକ ସମୟରେ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ସଚେତନ କରାଯାଉଛି ହେଲେ, ସମୁଦ୍ର ମଧ୍ୟରେ ମାଳ ମାଳ ଟ୍ରଲର, ଶହ ଶହ ଜାଲ । ଗୋଟେ ପଟେ ବିଦ୍ଧି ବ୍ୟବସ୍ଥା କଇଁଛ ସୁରକ୍ଷା ଆମର ପ୍ରଥମ କର୍ତ୍ତବ୍ୟ ନାରା ଦେଇ ସମୁଦ୍ର ମଧ୍ୟରେ ଶୀତ ଋତୁରେ ମାଛ ଧରା ବନ୍ଦ କରିଥିବାବେଳେ, ଅପରପଟେ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ଚାଲିଛି ବେଆଇନ ମାଛ ଧରା । ଯାହା କଇଁଛ ମୃତ୍ୟୁର ବଡ଼ କାରଣ ବୋଲି ବାରମ୍ବାର ଅଭିଯୋଗ ଏବଂ ପ୍ରତିବାଦ ସତ୍ତ୍ୱେ ପ୍ରଶାସନ ନଶୁଣିବା ହେତୁ ବର୍ଷ ବର୍ଷ ଧରି ମୃତ୍ୟୁବରଣ କରିଥିବା ସମସ୍ତ କଇଁଛଙ୍କ ପାଇଁ ତିଳ ତର୍ପଣ ଅର୍ପଣ କରି ପ୍ରଶାସନକୁ ଲଜ୍ଜିତ କରାଇଛନ୍ତି ପରିବେଶବିତ ।
ଏ ନେଇ ଆମେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ପଚାରିବା ପରେ ବି ସେମାନେ କ୍ୟାମେରା ସମ୍ମୁଖରେ କୌଣସି ଉତ୍ତର ରଖିବାକୁ ନାରାଜ । କାହିଁକି କେଜାଣି ଏଭଳି ନିରୀହ ଜୀବଙ୍କ ଉପରେ ଖେଳ ଖେଳୁଛନ୍ତି ସେମାନେ ତାହା ତାଙ୍କୁ ହିଁ ଜଣା । କେବେ ହେବ ଏହାର ସମାଧାନ ତାହା କେବଳ ଦେଖିବାକୁ ବାକି ରହିଲା ।
ପରିବେଶର ସନ୍ତୁଳନ ବଜାୟ ରଖିବାରେ ଅଲିଭ ରିଡଲେ କଇଁଛଙ୍କର ରହିଛି ଅନନ୍ୟ ଅବଦାନ । ସାମୁଦ୍ରିକ ଜୀବ ଭାବେ ପରିବେଶ ପାଇଁ ଏହି ବିରଳ ପ୍ରଜାତିର ସ୍ୱତନ୍ତ୍ର ଅବଦାନ ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ଖର୍ଚ୍ଚ କରିଚାଲିଛନ୍ତି କୋଟି କୋଟି ଟଙ୍କା । କିନ୍ତୁ ସମସ୍ତ ପ୍ରୟାସ ସତ୍ତ୍ୱେ କଇଁଛ ମୃତ୍ୟୁ ଏବେ ଶିଖର ଛୁଇଁଥିବାରୁ ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ପରିବେଶବିତ । ଏହି ଘଟଣାକୁ ନେଇ କୋଣାର୍କରେ କିଭଳି ଅଭିନଵ ଉପାୟରେ ରାଜ୍ୟ ସରକାରଙ୍କ ବ୍ୟବସ୍ଥାକୁ ଟାର୍ଗେଟ କରି ଏଭଳି ନିଆରା ପ୍ରତିବାଦ ଜଣାଇଛନ୍ତି ପରିବେଶବିତ ।