ଆଜିଠୁ ପିତୃପକ୍ଷ ଆରମ୍ଭ: ଶ୍ରୀକ୍ଷେତ୍ରରେ ପିତୃପୁରୁଷଙ୍କ ପିଣ୍ଡଦାନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ

ପୁରୀ : ଆଜି ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି ।  ଆଜିଠାରୁ ଆରମ୍ଭ ହୋଇଛି ପିତୃପକ୍ଷ । ସେଥିପାଇଁ ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀ ସମେତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଓ ସମୁଦ୍ର ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି । ବହୁ ଲୋକ ନିଜ ନିଜ ପିତୃ ପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ କରିଛନ୍ତି । ଦୀର୍ଘ ୧୫ ଦିନ ଧରି ପିତୃପୁରୁଷମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯିବାର ବିଧି ରହିଥିବା ବେଳେ ଆସନ୍ତା ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ପିତୃପକ୍ଷ ଚାଲୁ ରହିବ । ପୂର୍ବରୁ ଶ୍ରୀମନ୍ଦିର ବାଇଶି ପାହାଚରେ ପିଣ୍ଡଦାନ ତିଳତର୍ପଣ କରୁଥିଲେ ଶ୍ରଦ୍ଧାଳୁ ।

ଶ୍ରୀମନ୍ଦିର ନିକଟରେ ତିଳତର୍ପଣ କଲେ ପିତୃପୁରୁଷ ସନ୍ତୁଷ୍ଟ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୂଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like