ଝାରସୁଗୁଡ଼ା: ବିମାନ ଅପହରଣ ମକ୍ଡ୍ରିଲ, ସଫଳତାର ସହ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ କରାଗଲା ଉଦ୍ଧାର

ଝାରସୁଗୁଡ଼ା ବିମାନବନ୍ଦରରେ ବିମାନ ଅପହରଣ। ତେବେ କିଛି ସମୟ ପରେ ସୁରକ୍ଷିତ ଭାବେ ଯାତ୍ରୀମାନଙ୍କୁ କରାଗଲା ଉଦ୍ଧାର। ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ। ବିମାନ ଅପହରଣ କରିବା ଓ ସୁରକ୍ଷିତ ଭାବେ ଯାତ୍ରୀଙ୍କୁ କିପରି ଉଦ୍ଧାର କରାଯିବ ସେ ନେଇ ବିମାନ ବନ୍ଦର ପକ୍ଷରୁ ମକ୍ଡ୍ରିଲ ଅନୁଷ୍ଠିତ ହୋଇଥିଲା। ବିମାନକୁ ମକ୍ଡ୍ରିଲରେ ବ୍ୟବହାର କରିବା ବଦଳରେ ଏକ ବସ୍କୁ ବ୍ୟବହାର କରାଯାଇଥିଲା। ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ପରେ ଏଭଳି କାର୍ଯ୍ୟକ୍ରମ କରାଯାଇଥିବା ବିମାନବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହ୍ଵାନ କହିଛନ୍ତି। ଏଭଳି କାର୍ଯ୍ୟକ୍ରମ କରିବାକୁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ଯଦି ଝାରସୁଗୁଡ଼ା ବିମାନବନ୍ଦରେ କୌଣସି ଅଘଟଣ ଘଟେ ତାକୁ ଅଧିକାରୀମାନେ ସାମନା କରିପାରିବେ ବୋଲି ସେ କହିଛନ୍ତି।