ବାଲେଶ୍ଵର: ରୋଗୀଙ୍କ ଜୀବନ ସହ ଖେଳ । ଏକ କ୍ଲିନିକର ଭୁଲ ଅଲ୍ଟ୍ରାସାଉଣ୍ଡ ରିପୋର୍ଟକୁ ନେଇ ରୋଗୀଙ୍କ ସମ୍ପର୍କୀୟମାନଙ୍କ ଦ୍ଵାରା ଦେଖିବାକୁ ମିଳିଛି ଉତ୍ତେଜନା । ଲୋକ ଏବେ ବିଶ୍ୱାସ କରିବେ ତ କାହାକୁ କରିବେ? ତେବେ ବାଲେଶ୍ଵର ଟାଉନ୍ ଥାନା ଅଧୀନ ଏକ ରିସର୍ଚ୍ଚ ସେଣ୍ଟରରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିକଟରେ ରେମୁଣା ଉଡ଼ମ୍ବର ଅଞ୍ଚଳର ଜୟନ୍ତ ଦାସ ପେଟରେ ଯନ୍ତ୍ରଣା ଯୋଗୁଁ ଏହି ରିସର୍ଚ୍ଚ ସେଣ୍ଟରକୁ ଅଲଟ୍ରାସାଉଣ୍ଡ ପାଇଁ ଆସିଥିଲେ ।
କିନ୍ତୁ ସେଠାରେ ଡାକ୍ତର ତାଙ୍କୁ କିଡନୀ ଷ୍ଟୋନ ହୋଇଥିବା ଦର୍ଶାଇ ରିପୋର୍ଟ ଦେଇଥିଲେ । ପରେ ଜୟନ୍ତ କଟକ ଯାଇ ଡାକ୍ତରଙ୍କ ନିକଟରେ ଅଲଟ୍ରାସାଉଣ୍ଡ କରିବା ପରେ ତାଙ୍କୁ ଆପେଣ୍ଡିସାଇଟିସ ହୋଇଥିବା ଜଣାପଡ଼ିଥିଲା । ତେବେ ଅଲଟ୍ରାସାଉଣ୍ଡ କ୍ଲିନିକରେ ଭୁଲ ରିପୋର୍ଟ ଦିଆଯାଇଥିବା ଯୋଗୁଁ ତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥିବା ଅଭିଯୋଗରେ ତାଙ୍କ ସମ୍ପର୍କୀୟମାନେ ଏହି ଅଲଟ୍ରାସାଉଣ୍ଡ ସେଣ୍ଟର ଆଗରେ ପାଟିତୁଣ୍ଡ କରିଥିଲେ ।
ତେବେ ରିସର୍ଚ୍ଚ ସେଣ୍ଟରରେ ଏଭଳି ଘଟଣା ପ୍ରଥମ ନୁହେଁ ବାରମ୍ବାର ଏଭଳି ଅଘଟଣ ଯୋଗୁଁ ରୋଗୀମାନେ ନାହିଁ ନଥିବା ଅସୁବିଧାର ଶିକାର ହେଉଛନ୍ତି ବୋଲି ଅଭିଯୋଗ ଆସିଛି । ତେବେ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେଉଁ ରୋଗୀଙ୍କ ଅସୁବିଧା ହୋଇଛି ଯଦି ସେମାନେ ଅଭିଯୋଗ କରନ୍ତି ତେବେ ଅଭିଯୋଗ ଆଧାରରେ ମେଡିକାଲର ଏକ ଟିମ୍ ଯାଇ ଏନେଇ ତଦନ୍ତ କରିବ ।
ତେବେ ଏଭଳି ଘଟଣା କେବଳ ଜୟନ୍ତଙ୍କ ସହିତ ନୁହେଁ ଆଜିକାଲି ଅନେକ ରୋଗୀ ଏପରି ସ୍ଥିତିର ସାମ୍ନା କରୁଛନ୍ତି । ଡାକ୍ତରଙ୍କ ଭୁଲ ଯାଞ୍ଚ୍ରେ ଅଯଥା ଅର୍ଥଶ୍ରାଦ୍ଧ କରି ହଇରାଣ ହେଉଛନ୍ତି । ଏହାକୁ ନେଇ ଜୟନ୍ତଙ୍କ ପରିବାର ଲୋକେ ତଥା ସମ୍ପର୍କୀୟ ପ୍ରଶାସନ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଏମିତି ଭୁଲ ଯାଞ୍ଚ କରି ରୋଗୀଙ୍କ ଜୀବନ ସହ ଖେଳୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସାଧାରଣରେ ଦାବି କରାଯାଇଛି ।