ଦୃଢ଼ ଇଛା ଶକ୍ତି ଆଗରେ ହାର୍‌ ମାନିଛି ଆର୍ଥିକ ପ୍ରତିବନ୍ଧକ, ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି ଶୁଭଶ୍ରୀ ମହାରଣା

ଭୁବନେଶ୍ବର(କେନ୍ୟୁଜ୍):  ଶୁଭଶ୍ରୀ ମହାରଣା । ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ପାଇଛନ୍ତି ବଡ଼ ସଫଳତା । ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ୯୩ ପ୍ରତିଶତ ମାର୍କ ରଖି ଅଲ୍‌ ଓଡ଼ିଶାରେ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ଆର୍ଥିକ ଅନଟନ ସତ୍ତ୍ୱେ କଠିନ ପରିଶ୍ରମ ତାଙ୍କୁ ଦେଇଛି ବଡ଼ ସଫଳତା । ଆଗକୁ ଏମବିବିଏସ୍‌ ପାଠ ପଢ଼ି ଭଲ ଡାକ୍ତର ହେବାକୁ ଇଚ୍ଛା ରଖିଛନ୍ତି ଶୁଭଶ୍ରୀ ।

ଶୁଭଶ୍ରୀଙ୍କ ଏଭଳିି ସଫଳତା ପାଇଁ ଗର୍ବିତ ପିତାମାତା ଓ ଶିକ୍ଷକ । ଭୁବନେଶ୍ୱର ସହିଦନଗର ଶାନ୍ତିପଲି ବସ୍ତିରେ ବାପା ମାଙ୍କ ସହ ରୁହନ୍ତି ଶୁଭଶ୍ରୀ । ବାପା ବଢେଇ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ମା ଜଣେ ଗୃହିଣୀ । ପିଲାଟିଦିନୁ ଶିକ୍ଷା ପ୍ରତି ତାଙ୍କର ଦୁର୍ବଳତା ରହିଆସିଛି । ବିଜେବି କଲେଜରେ ଯୁକ୍ତ ଦୁଇ ବିଜ୍ଞାନ ପଢୁଥିବା ବେଳେ ୬୦୦ରୁ ୫୫୮ ନମ୍ବର ରଖି ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ ଶୁଭଶ୍ରୀଙ୍କ ଏଭଳି ସଫଳତା ଅନ୍ୟକୁ ଯଥେଷ୍ଠ ପ୍ରେରଣା ଯୋଗାଇବ । ବିଜେବି କଲେଜର ଛାତ୍ର ଭବାନୀ ଶଙ୍କର ପଟ୍ଟନାୟକ ଯୁକ୍ତ ଦୁଇ ବିଜ୍ଞାନରେ ୫୫୯ ନମ୍ବର ରଖି ଟପ୍‌ର ହୋଇଥିଲେ ।

science