ଏପ୍ରିଲ ୮ରୁ ଯୁକ୍ତ୨ ଖାତାଦେଖା , ନିୟୋଜିତ ହେବେ ୧୬ ହଜାର ଅଧ୍ୟାପକ

ଭୁବନେଶ୍ବର(କେନ୍ୟୁଜ୍) : ଏପ୍ରିଲ ୮ରୁ ଆରମ୍ଭ ହେବାକୁ ଯାଉଛି ଯୁକ୍ତ୨ ପରୀକ୍ଷା ଖାତାଦେଖା। ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ ବୋଲି ସୂଚନା ମିଳିଛି। ଏକାଥରେ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତା ଇ-ମୂଲ୍ୟାୟନ ଏବ˚ କଳା ବିଭାଗ ବିଷୟର ମାନୁଆଲ୍ ମୂଲ୍ୟାୟନ ହେବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୮ରୁ ୨୨ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୩ରୁ ଖାତା ଦେଖା ହେବ। ମେ’ ପ୍ରଥମ ସପ୍ତାହ ସୁଦ୍ଧା ମୂଲ୍ୟାୟନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଦୁଇଟି ପର୍ଯ୍ୟାୟରେ ୧୬ ହଜାର ଅଧ୍ୟାପକ ନିୟୋଜିତ ହେବେ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି।
ଏଥର ଖାତା ମୂଲ୍ୟାୟନ ସମୟରେ ସାଧାରଣ ନିର୍ବାଚନ ପଡ଼ୁଥିବାରୁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ତାହାକୁ ଦୃଷ୍ଟିରେ ରଖି ପରିଷଦ ମୂଲ୍ୟାୟନରେ କିଛିଟା ପରିବର୍ତନ ଆଣିଛି। ଯେଉଁ ଜିଲ୍ଲା ତଥା ଅଞ୍ଚଳରେ ଯେଉଁଦିନ ନିର୍ବାଚନ ହେବ ସେଠାରେ ୪ ଦିନ ପାଇଁ ଖାତା ମୂଲ୍ୟାୟନ ବନ୍ଦ ରହିବ। ଅଧ୍ୟାପକମାନେ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେ। ଉଭୟ ନିର୍ବାଚନ ଓ ଖାତା ଦେଖା ଯେମିତି ସୁରୁଖୁରୁରେ ଚାଲିବ ସେଥିପ୍ରତି ଧ୍ୟାନ ଦିଆଯାଇଛି। ଚଳିତବର୍ଷ ୫୮ ମାନୁଆଲ୍ ମୂଲ୍ୟାୟନ କେନ୍ଦ୍ର ଓ ୩୬ଟି ଇ-ମୂଲ୍ୟାୟନ କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି।
ମୂଲ୍ୟାୟନ କେନ୍ଦ୍ରଗୁଡ଼ିକ ମଧ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ :
-ନିଷ୍ପତ୍ତି ଅନୁଯାୟୀ ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ।
-ପ୍ରତିଦିନର କାର୍ଯ୍ୟ ନ ସାରିବା ପର୍ଯ୍ୟନ୍ତ କେହି ବି କେନ୍ଦ୍ର ଛାଡ଼ିପାରିବେ ନାହିଁ।
-ଖାତା ଦେଖୁଥିବା ଅଧ୍ୟାପକଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟ୍ରରରେ ଉଲ୍ଲେଖ କରାଯିବ।
-ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍ ଓ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି ହୋଇଛି।
– ଆବଶ୍ୟକ ପଡିଲେ ଜୋନ୍ ସୁପରଭାଇଜର ଏକ ରୁମ୍ କରିବେ। ସେଠାରେ ମୂଲ୍ୟାୟନକାରୀ ମୋବାଇଲ୍ ରଖି ଖାତା ଦେଖିବାକୁ ଯିବେ।
-ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୂଲ୍ୟାୟନ ଚାଲିବ।
-ମୂଲ୍ୟାୟନ କେନ୍ଦ୍ରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି ହେବ।
-ସୁରକ୍ଷା ଲାଗି ମୂଲ୍ୟାୟନ କେନ୍ଦ୍ରର ସୁପରିନ୍ଟେଣ୍ଡେଣ୍ଟମାନେ ପୁଲିସର ସହାୟତା ନେଇପାରିବେ ।