ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା: ଦୁଇବର୍ଷ ପରେ ପରୀକ୍ଷା କେନ୍ଦ୍ରରେ ବସିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଯୁକ୍ତ ଦୁଇ ପରୀକ୍ଷା। ଦୁଇବର୍ଷ ପରେ ଛାତ୍ରଛାତ୍ରୀ ଦେବେ ଅଫଲାଇନ ପରୀକ୍ଷା। ପରୀକ୍ଷା ଦେବେ ୩,୨୧,୫୦୮ ପରୀକ୍ଷାର୍ଥୀ। ସାରା ରାଜ୍ଯରେ ଏଥିପାଇଁ ୧୧୩୩ ପରୀକ୍ଷା କେନ୍ଦ୍ର କରାଯାଇଥିବାବେଳେ ୨୦୨ ଟି ହବ କରାଯାଇଛି। ସକାଳ ୯ ଟା ରୁ ଆରମ୍ଭ ହେବ ପରୀକ୍ଷା। ଖରା ପାଇଁ କେନ୍ଦ୍ରରେ ସ୍ୱତନ୍ତ୍ର ବ୍ଯବସ୍ଥା ସହ ପିଲା ସାଙ୍ଗରେ ପାଣି ବୋତଲ ଓ ସାନିଟାଇଜର ନେଇ ଯିବାକୁ ନିର୍ଦେଶ। ପରୀକ୍ଷା ପାଇଁ ପ୍ରସ୍ତୁତ ବୋଲି କହିଲେ ପରୀକ୍ଷାର୍ଥୀ।

ସୂଚନା ଯୋଗ୍ୟ ୨୦୨୦ ରେ ପରୀକ୍ଷା ଅଧାରୁ ବାତିଲ ହୋଇଥିବାବେଳେ ୨୦୨୧ ର୍ବ ସମ୍ପୁର୍ଣ୍ଣ ବାତିଲ କରାଯାଇଥିଲା ବୋର୍ଡ଼ ପରୀକ୍ଷା। ଏବର୍ଷ ବିଳମ୍ବରେ ହେଲେ ବି ଅଫଲାଇନ ପରୀକ୍ଷା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଏଥର ମୋଟ ୧୧୩୩ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ୩,୨୧,୫୦୮ ଛାତ୍ରଛାତ୍ରୀ। କଳାରେ ୨,୧୩,୪୩୨ ଜଣ, ୭୮,୦୭୭ ଜଣ ବିଜ୍ଞାନରେ, ୨୪,୧୩୬ ଜଣ ବାଣିଜ୍ଯରେ ଓ ୫,୮୬୩ ଜଣ ଧନ୍ଦାମୂଳକ ବିଷୟରେ ଦେବେ ପରୀକ୍ଷା। ରାଜ୍ଯର ୨୦୨ ହବରେ ପ୍ରଶ୍ନପତ୍ର ମହଜୁଦ ରହିଥିବାବେଳେ ଆସନ୍ତାକାଲି ୮ ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ପଠାଯିବ।

ସେହିଭଳି ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବା ସହ କୋଭିଡ ୧୯ କୁ ନଜର ରେ ରଖି ବସିବା ବ୍ଯବସ୍ଥା କରାଯାଇଛି। ଖରାକୁ ଆଖିରେ ରଖି କେନ୍ଦ୍ରରେ ପାଣି ଓ ଅନ୍ଯାନ୍ଯ ଫାଷ୍ଟ ଏଡ଼ ବ୍ଯବସ୍ଥା କରାଯାଇଛି। ପରୀକ୍ଷା ପାଇଁ କେନ୍ଦ୍ର ଗୁଡିକରେ ପ୍ରସ୍ତୁତି ଶେଷ ହୋଇଥିବା ସେଣ୍ଟର ଇନଚାର୍ଜ କହିଛନ୍ତି।

ପ୍ରଥମ ଦିନରେ ଓଡ଼ିଆ ବିଷୟରେ ପରୀକ୍ଷା ହେବ।

ସକାଳ ୯ ଟା ରୁ ୧୨ ଟା ହେବ ପରୀକ୍ଷା।

୮ଟା ରୁ ୮.୩୦ ମଧ୍ୟରେ ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ରକୁ ଛଡ଼ାଯିବ।

ଛାତ୍ରଛାତ୍ରୀ ସାଙ୍ଗରେ କେବଳ ଆଡ଼ମିଟକାର୍ଡ, ବ୍ଲାକ ବଲ ପେନ, ପାଣି ବୋତଲ ଓ ସାନିଟାଇଜର ନେଇ ଯାଇ ପାରିବେ।

ଏହା ବ୍ଯତୀତ ଅନ୍ଯ କୌଣସି ଜିନିଷ ଘଣ୍ଟା ହେଉ କି ମୋବାଇଲ କି ପରୀକ୍ଷା ବୋର୍ଡ଼ ନେଇପାରିବେ ନାହିଁ।

ଏପରିକି କମ୍ପାସ ବକ୍ସ ବା ପେନ୍ସିଲ ବକ୍ସ ମଧ୍ୟ ନେଇପାରିବେ ନାହିଁ।

ତେବେ ଅଫଳାଇନ ପରୀକ୍ଷା ହେବା ନିହାତି ଆବଶ୍ଯକ ଥିଲା ବୋଲି ଛାତ୍ରଛାତ୍ରୀ କହିଛନ୍ତି। ପରୀକ୍ଷା ପାଇଁ ଯଥେଷ୍ଟ ସମୟ ମିଳିଥିବାରୁ ପରୀକ୍ଷା ଭଲ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.