ଓଡ଼ିଶାରେ ପହଁଚିଲେ ପ୍ରଧାନମନ୍ତ୍ରୀ ମୋଦୀ, କାଲି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦ୍ଘାଟନ କରିବେ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଏକ ସ୍ବତନ୍ତ୍ର ବିମାନରେ ଆଜି ରାତିରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ପହଞ୍ଚିଲା ପରେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ , ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ମେୟର ସୁଲୋଚନା ଦାସ ପ୍ରମୁଖ । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ବିମାନବନ୍ଦର ସମ୍ମୁଖ, କ୍ୟାପିଟାଲ ହସ୍ପିଟାଲ ସାମ୍ନା, ଏଜି ଛକ ଓ ରାଜଭବନ ଆଗରେ ବିଭିନ୍ନ ମଣ୍ଡପ ହୋଇଥିଲା ।
ଯେଉଁଠି ଓଡ଼ିଶାର ସାଂସ୍କୃତିକ ତଥା ପାରଂପରିକ ଆଦିବାସୀ, ସମ୍ବଲପୁରୀ ନୃତ୍ୟ ଓ ବାଦ୍ୟ ସହିତ କଳାକାରମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ବାଗତ କରିଥିଲେ। ସେହିପରି ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ମୋଦୀଙ୍କ ରାସ୍ତାରେ ସମର୍ଥକଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ପ୍ରଧାନମନ୍ତ୍ରୀ ମୋଦୀ କାର୍କେଡ୍ରେ ଥାଇ ସେ ସମର୍ଥକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀ ବିମାନବନ୍ଦରରୁ ସିଧାସଳଖ ରାଜଭବନରେ ପହଞ୍ଚିଛନ୍ତି । ସେ ଆଜି ରାଜଭବନରେ ରାତ୍ରୀଯାପନ କରିବେ ଏବଂ ଆସନ୍ତାକାଲି ପୂର୍ବାହ୍ଣରେ ରାଜଭବନରୁ ବାହାରି ଜନତା ମଇଦାନରେ ପହଞ୍ଚିବେ । ଆସନ୍ତାକାଲି ସ୍ଥାନୀୟ ଜନତା ମଇଦାନ୍ରେ ଆରମ୍ଭ ହୋଇଥିବା ‘ପ୍ରବାସୀ ଭାରତୀୟ ଦିବସ’ ସମ୍ମେଳନକୁ ଉଦ୍ଘାଟନ କରିବା ସହ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିବେ ।