ଆସନ୍ତାକାଲି ମୋଦି-ନବୀନ ଭେଟ, ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଦୁଇ ନେତା ଏକାଠି ହେବେ

ଆସନ୍ତାକାଲି ମୋଦି-ନବୀନ ଭେଟ । ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଦୁଇ ନେତା ଏକାଠି ହେବେ । କିନ୍ତୁ ପରେ ସାଧାରଣ ସଭାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ କଣ କହିବେ ପ୍ରଧାନମନ୍ତ୍ରୀ ତାଉପରେ ସମସ୍ତଙ୍କର ନଜର ରହିଛି । ରାଜନୈତିକ ସଭାରେ ଆଟାକ୍ କଲେ ବି ନବୀନଙ୍କ ସହ ମୋଦିଙ୍କର ବ୍ୟକ୍ତିଗତ ସମ୍ପର୍କ କିନ୍ତୁ ଭଲ ।

ଆସନ୍ତାକାଲି ମୋଦି-ନବୀନ ଭେଟ । ସମ୍ବଲପୁରରେ ସରକାରୀ କାର୍ଯ୍ୟକ୍ରମରେ ଗୋଟିଏ ମଞ୍ଚରେ ଦୁଇ ନେତା ଏକାଠି ହେବେ । କିନ୍ତୁ ପରେ ସାଧାରଣ ସଭାରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କ ଉପରେ କଣ କହିବେ ପ୍ରଧାନମନ୍ତ୍ରୀ ତାଉପରେ ସମସ୍ତଙ୍କର ନଜର ରହିଛି । ରାଜନୈତିକ ସଭାରେ ଆଟାକ୍ କଲେ ବି ନବୀନଙ୍କ ସହ ମୋଦିଙ୍କର ବ୍ୟକ୍ତିଗତ ସମ୍ପର୍କ କିନ୍ତୁ ଭଲ । କେନ୍ଦ୍ର ସହ ସବୁବେଳେ ସମନ୍ବୟ ରଖି କାମ କରନ୍ତି ରାଜ୍ୟ ସରକାର ।

ଓଡ଼ିଶାରେ ବିଜେପି ପାଇଁ କାଲି ବିଗୁଲ୍ ବଜାଇବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେଣୁ ତାହା ଓଡ଼ିଶା ରାଜନୀତିରେ ପ୍ରଭାବ ପକାଇବାକୁ ଯାଉଛି। ୪ ବର୍ଷ ୯ ମାସ ୧୦ ଦିନ ପରେ ପ୍ରଥମ ଥର ରାଜନୈତିକ ରାଲି କରିବେ ନରେନ୍ଦ୍ର ମୋଦି। ୨୦୧୯ ଏପ୍ରିଲ ୨୩ରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରପଡ଼ାରେ ଭୋଟରଙ୍କୁ ଉଦବୋଧନ ଦେଇଥିଲେ। ଏହାପରେ ଏବେ ପ୍ରଥମ ରାଜନୈତିକ ରାଲି କରିବାକୁ ଯାଉଛନ୍ତି। କାଲି ସମ୍ବଲପୁର ରାଲିରେ ପ୍ରଧାନମନ୍ତ୍ରୀ କଣ କହିବେ ତା ଉପରେ ସମସ୍ତଙ୍କ ନଜର ରହିଛି।

କାରଣ ତାଙ୍କ ଭାଷଣ ହିଁ ୨୦୨୪ରେ ବିଜେପି କେଉଁ ଭଳି ଲଢିବ ଏବଂ ଆଗକୁ ବଢିବ ତାର ଆଧାର ତିଆରି କରିବ। ୨୦୧୯ରେ ବିଜେପି ପଶ୍ଚିମ ଓଡ଼ିଶାରେ ୫ଟି ଲୋକସଭା ଆସନ ଜିତିଥିଲା। ୨୦୨୪ ପାଇଁ ସେହି ପଶ୍ଚିମ ଓଡ଼ିଶାରୁ କ୍ୟାମ୍ପେନ୍ ଆରମ୍ଭ କରିବାକୁ ଯାଉଛନ୍ତି ପ୍ରଧାନମନ୍ତ୍ରୀ। ପଶ୍ଚିମରେ ବିଜେପି ତାର ସପୋର୍ଟ ବେସ୍ କୁ ଆହୁରି ସୁଦୃଢ କରିବାକୁ ଚାହୁଁଛି। ପଶ୍ଚିମ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନ ସମ୍ବଲପୁର।ଏଥର ଏହି ଆସନରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲଢି ପାରନ୍ତି। ତେଣୁ ପ୍ରଧାନମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ, ଧର୍ମେନ୍ଦ୍ରଙ୍କ କ୍ୟାମ୍ପେନକୁ ଆହୁରି ମଜଭୁତ କରିବ।

କାଲିର ରାଲିରେ ରାଜ୍ୟସରକାର ଓ ନବୀନଙ୍କ ଉପରେ କଣ କହିବେ ମୋଦି। ପ୍ରଧାନମନ୍ତ୍ରୀ ମୋଦି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉପରେ ଯାହା ବି କୁହନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ସୁଦୃଢ଼ ରହିଛି। ଏପ୍ରିଲ ୨୦୧୯ ନିର୍ବାଚନୀ କ୍ୟାମ୍ପେନ ସୟମରେ, ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଚମତ୍କାର ବିଦାୟୀ ସମ୍ବର୍ଦ୍ଦନା ଦେବାକୁ ଭୋଟରଙ୍କୁ ଅପିଲ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାର ଉତ୍ତରେ ନବୀନ, ତାଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ମୋଦିଙ୍କୁ ନିମନ୍ତ୍ରଣ ଦେଇଥିଲେ। ଏ ଘଟଣାର ୧୦ ଦିନ ପରେ ଓଡିଶାକୁ ମାଡ଼ କରିଥିଲା ବାତ୍ୟା ଫନୀ। ତୁରନ୍ତ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ। ତାଙ୍କୁ ପାଛୋଟି ଆଣିବାକୁ ଏୟାର ପୋର୍ଟ ଯାଇଥିଲେ ନବୀନ। ବାତ୍ୟା ପରବର୍ତ୍ତୀ ଥଇଥାନ ଓ ପୁନଃ ଉଦ୍ଧାର ଲାଗି ଉଭୟ ନେତା ହାତ ମିଶାଇଥିଲେ।

ଏହାପରେ ୨୦୨୦ରେ ଅମ୍ଫାନ ବାତ୍ୟା ପରେ ଏବଂ ବାହନଗା ଟ୍ରେନ ଦୁର୍ଘଟଣା ପରେ ଗତବର୍ଷ ଜୁନ ମାସରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିଥିଲେ। ଏହାମଧ୍ୟରେ ଗତ ବର୍ଷ ମେ ୧୧ ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ନବୀନ। ପୁରୀ ଶ୍ରୀଜଗନ୍ନାଥ ଆନ୍ତର୍ଜାତିକ ବିମାନ ବନ୍ଦର ବିଷୟରେ ଆଲୋଚନା ହୋଇଥିଲା। ଏହି ଆଲୋଚନା ପରେ ନବୀନ କହିଥିଲେ, ଏୟାର ପୋର୍ଟର ଉଦଘାଟନ ପାଇଁ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରାଯିବ। ଗଣମାଧ୍ୟମରେ ଏ ମନ୍ତବ୍ୟ ସେତେବେଳେ ହଇଚଇ ସୃଷ୍ଟି କରିଥିଲା।

କାରଣ ନବୀନଙ୍କ ମନ୍ତବ୍ୟ ସୂଚାଉଥିଲା, ମୋଦି ତୃତୀୟ ପାଳି ସରକାର ଗଠନ କରିବେ ଏବଂ ନବୀନ ପୁଣି ଆଉ ଏକ ପାଳି ଜିତିବେ। କାଲି ଆଇଆଇଏମ କ୍ୟାମ୍ପସ ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟ ହେବ। ଉଭୟ ମଧ୍ୟରେ ପୁଣି ପୁରୀ ଏୟାର ପୋର୍ଟ ବିଷୟରେ ଆଲୋଚନା ହେବ କି? ଏବଂ ୩-୪ ବର୍ଷ ପରେ ବିମାନବନ୍ଦରର ଉଦଘାଟନ ପାଇଁ ମୋଦିଙ୍କୁ ନିମନ୍ତ୍ରଣ ଦେବେ କି? କାଲି ତାହା ଜଣା ପଡିବ।