ଗୁରୁ ଦିବସରେ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ମାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ, ପିଏମ ଶ୍ରୀ ଯୋଜନାର କଲେ ଘୋଷଣା

କେନ୍ୟୁଜ୍(ବ୍ୟୁରୋ):   ଗୁରୁ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀ ଠାରେ ଜାତୀୟ ପୁରସ୍କାର ଗ୍ରହଣ କରିଥିବା ସମସ୍ତ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ପରେ ଟ୍ୱିଟ୍ କରି ଆନୁଷ୍ଠାନିକ ଭାବରେ ପିଏମ ଶ୍ରୀ ଯୋଜନାର ଘୋଷଣା କରିଛନ୍ତି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ସ୍କୁଲ ଫର୍ ରାଇଜିଂ ଇଣ୍ଡିଆ ଯୋଜନା ବା ପିଏମ ଶ୍ରୀ ଯୋଜନାରେ ସମଗ୍ର ଭାରତବର୍ଷର ୧୪,୫୦୦ଟି ବିଦ୍ୟାଳୟକୁ ନବୀକରଣ କରିବା ସହ ବିକଶିତ କରାଯିବ । ଏହି ମଡେଲ ସ୍କୁଲ ଜାତୀୟ ଶିକ୍ଷା ନୀତିର ମୂଳ ବିଚାରକୁ ପୂରଣ କରିବ । ପିଏମ ଶ୍ରୀ ସ୍କୁଲ ଅତ୍ୟାଧୁନିକ, ରୂପାନ୍ତରଣ, ସାମଗ୍ରିକ ପଦ୍ଧତିରେ ଶିକ୍ଷାଦାନ ପ୍ରଦାନ କରିବ । ଆବିଷ୍କାର ଆଧାରିତ, ଶିକ୍ଷଣ କେନ୍ଦ୍ରୀତ ପଦ୍ଧତିରେ ଶିକ୍ଷାଦାନ, ନୂତନ ପ୍ରଯୁକ୍ତିବିଦ୍ୟା, ସ୍ମାର୍ଟ କ୍ଲାସ ରୁମ ଏବଂ କ୍ରୀଡ଼ା ସହ ଅନ୍ୟାନ୍ୟ ଦିଗକୁ ଗୁରୁତ୍ୱ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ।

ଏହି ଘୋଷଣା ଉପରେ ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଗୁରୁ ଦିବସରେ ପ୍ରଧାନମନ୍ତ୍ରୀ ଦେଶକୁ ଜ୍ଞାନର ଉପହାର ଦେଇଛନ୍ତି । ଭାରତର ଶିକ୍ଷା ଦୃଶ୍ୟପଟ୍ଟକୁ ଗତି ଦେବାରେ ଏହି ଯୁଗାନ୍ତକାରୀ ପଦକ୍ଷେପ ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସେ କହିଛନ୍ତି ଜାତୀୟ ଶିକ୍ଷା ନୀତିର କଳ୍ପନାକୁ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ପ୍ରଧାନମନ୍ତ୍ରୀ ଶ୍ରୀ ସ୍କୁଲ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଭାରତକୁ ଜ୍ଞାନଭିତ୍ତିକ ସମାଜରେ ପରିଣତ କରିବ ।

modi

ଜାତୀୟ ଶିକ୍ଷା ନୀତିର ପ୍ରୟୋଗଶାଳା ଭାବରେ ଏହି ସ୍କୁଲ ନିଜର ଅଦ୍ୱିତୀୟ ଅଭିଜ୍ଞତା, ସାମଗ୍ରିକ, ଆଲୋଚନାତ୍ମକ ପଦ୍ଧତି ଏବଂ ଶିକ୍ଷଣ କେନ୍ଦ୍ରୀତ ପଦ୍ଧତି ମାଧ୍ୟମରେ ଏକବିଂଶ ଶତାବ୍ଦୀର କୌଶଳ, ମାନବବାଦୀ ଦୃଷ୍ଟିକୋଣ, ବ୍ୟକ୍ତିତ୍ୱ ଗଠନ କରିବାରେ ସହାୟକ ହେବ । ପିଏମ ଶ୍ରୀ ସ୍କୁଲ ଶିକ୍ଷା ଗ୍ରହଣକୁ ଅଧିକ ଆନନ୍ଦମୟ କରିବା ସହ ସେହି ଅଞ୍ଚଳର ଶିକ୍ଷା ଗ୍ରହଣର ପରିବେଶକୁ ସୁଧାରିବାରେ ନେତୃତ୍ୱ ନେବ । ପିଏମ ଶ୍ରୀ ସ୍କୁଲ ମୋଦି ସରକାରଙ୍କ ଦ୍ୱାରା ୨୦୨୧-୨୨ ବର୍ଷ ବଜେଟରେ ଦେଶବ୍ୟାପୀ ସ୍କୁଲ ଗୁଡ଼ିକୁ ଗୁଣାତ୍ମକ ଭାବେ ମଜଭୂତ କରିବା ପାଇଁ କରାଯାଇଥିବା ପ୍ରତିଶ୍ରୁତିକୁ ପୂରଣ କରିବ । ଏହି ପଦକ୍ଷେପ ଦେଶର ଲକ୍ଷାଧିକ ଛାତ୍ରଛାତ୍ରୀଙ୍କୁ ଲାଭ ଦେବ ବୋଲି ସେ କହିଛନ୍ତି ।

ସେହିପରି ଗୁରୁ ଦିବସ ଅବସରରେ ଜାତୀୟ ପୁରସ୍କାର ଗ୍ରହଣ କରିଥିବା ଶିକ୍ଷକ ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ସ୍ମରଣୀୟ ମୁହୂର୍ତ୍ତ । ଭାରତକୁ ୨୦୪୭ ସୁଦ୍ଧା ଏକ ବିକଶିତ ରାଷ୍ଟ୍ର ଭାବେ ପରିଣତ କରିବାରେ ଆମ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ପ୍ରଧାନମନ୍ତ୍ରୀଙ୍କ ସହ ଶିକ୍ଷକ ମାନଙ୍କ ଆଲୋଚନା ଭାରତର ଭବିଷ୍ୟତକୁ ଆକାର ଦେବାରେ ସେମାନଙ୍କୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.