ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦି, ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ କରିବେ ଉଦଘାଟନ

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନକୁ ଉଦଘାଟନ କରିବେ । ସକାଳ ୧୦ଟାରେ ଜନତା ମୈଦାନରେ ୪ଟି ପ୍ରଦର୍ଶନୀର ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ପ୍ରବାସୀ ଭାରତୀୟ ଏକ୍ସପ୍ରେସର ରିମୋଟ୍ ମାଧ୍ୟମରେ ଶୁଭାରମ୍ଭ ଏବଂ ପ୍ରମୋସନାଲ ଷ୍ଟଲ ପରିଦର୍ଶନ କାର୍ଯ୍ୟକ୍ରମ ରହିଛି ।

ଗତକାଲି ସ୍ବତନ୍ତ୍ର ବିମାନରେ ଆସି ରାତି ପାଖାପାଖି ସାଢ଼େ ୮ଟାରେ ଭୁବନେଶ୍ବରରେ ପହଞ୍ଚିଥିଲେ ମୋଦି। ସେଠାରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଜ୍ୟ ସଭାପତି ପ୍ରମୁଖ ସ୍ବାଗତ କରିଥିଲେ । ବିମାନବନ୍ଦର ଠାରୁ ରାଜଭବନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପାରମ୍ପରିକ ନୃତ୍ୟଗୀତ ଆୟୋଜନ ହୋଇଥିଲା । ଏୟାରପୋର୍ଟରୁ ସିଧା ରାଜଭବନ ଆସିଥିଲେ ପ୍ରଧାନମନ୍ତ୍ରୀ । ରାଜଭବନରେ ରାତ୍ରି ରହଣି କରିଥିଲେ। ଆଜି ପ୍ରବାସୀ ଭାରତୀୟ ମହାକୁମ୍ଭର ଆନୁଷ୍ଠାନିକ ଉଦଘାଟନ କରିବେ। ପ୍ରବାସୀଙ୍କ ସହ ଆଲୋଚନା କରିବେ ମୋଦି ।

ସେହିପରି ଆସନ୍ତା କାଲି ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଜ୍ୟର କଳା, ସଂସ୍କୃତି ତଥା ଖାଦ୍ୟର ମଜା ନେବେ ଅତିଥି । ସେପଟେ ପ୍ରବାସୀ ମଧ୍ୟରେ ସଂପର୍କର ସେତୁ ଯୋଡିବ ଏହି କାର୍ଯ୍ୟକ୍ରମ । ଅର୍ଥନୈତିକ ଦୃଷ୍ଟିରୁ ପ୍ରବାସୀ ସମ୍ମିଳନୀ ରାଜ୍ୟକୁ ସମୃଦ୍ଧ କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମକୁ ସଫଳ କରିବାକୁ ପୁରା ଦମ ଲଗାଇଦେଇଛନ୍ତି ରାଜ୍ୟ ସରକାର । ବିଶ୍ୱରେ ଓଡିଶାକୁ ପରିଚିତ କରିବାରେ ଏହି ସୁଯୋଗକୁ କୌଣସି ଦିଗରୁ ହାତ ଛଡ଼ା କରିବାକୁ ଚାହୁଁନି ମୋହନ ସରକାର । ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମ ପାଇଁ ରାଜଧାନୀବାସୀ ନିଜ ଘର ସାମ୍ନାକୁ ସଜେଇବା ପାଇଁ ନିବେଦନ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ପ୍ରବାସୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସଂଗ୍ରହାଳୟରେ ହୋଇଛି ସ୍ବତନ୍ତ୍ର ଵ୍ୟଵସ୍ଥା । ସମ୍ମିଳନୀ ସମୟରେ ଭିଡ଼ ଏଡାଇବାକୁ ଟ୍ରାଫିକ କଟକଣା ଜାରି କରାଯାଇଛି । ସାଧାରଣ ଲୋକେ ଯେପରି ହଇରାଣ ନହେବେ ସେନେଇ କମିସନରେଟ ପୋଲିସ ପକ୍ଷରୁ ଟ୍ରାଫିକ ବନ୍ଦୋବସ୍ତ କରାଯାଇଛି ।