ବିଶ୍ୱାସରେ ବିଷ ଦେଲା, ତେଣୁ ଫାଟକରେ ଝୁଲୁଛି ମାଳ ମାଳ ତାଲା

ବିଶ୍ୱାସରେ ବିଷ ଦେଲା, ତେଣୁ ଫାଟକରେ ଝୁଲୁଛି ମାଳ ମାଳ ତାଲା । ଏଦୃଶ୍ୟ ବଡ ଅଜବ୍ ମନେ ହେଉଥିବା ନିଶ୍ଚୟ । କିନ୍ତୁ ସତକଥା ହେଲା ଯେତିକି ଅଭିଯୋଗ ସେତିକି ତାଲା । ଗାଁର ୧୬ ଜଣ ମହିଳା ମିଶି ଫାଟକରେ ୧୬ଟି ତାଲା ପକାଇଛନ୍ତି । ଘଟଣାଟି ଏମିତି ହୋଇଛି ସଂପୃକ୍ତ ଘର ମାଲିକ ଗାଁର ଲୋକଙ୍କୁ ମିଠା ମିଠା କଥା କହି ଚୁନା ମାରି ଚାଲିଯାଇଛି । ପାଖାପାଖି ୩୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଲୋଭ ଦେଖାଇ ପ୍ରାୟ ୪୦ ଲକ୍ଷ ଟଙ୍କା ଠକି ନେଇଛି । ଶେଷରେ ଟଙ୍କା ଦେଇ ନପାରି ବାଧ୍ୟହୋଇ ପରିବାର ଲୋକଙ୍କ ସହ ଫେରାର ହୋଇଯାଇଛି ।
ତେଣୁ ପ୍ରତିବାଦ ସ୍ବରୂପ ମହିଳା ମାନେ ମୁଣ୍ଡପିଛା ଗୋଟିଏ ଲେଖାଏଁ ତାଲା ଠୁକିଛନ୍ତି । କେବଳ ସେତିକି ନୁହେଁ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଏସପି ଏବଂ ଥାନାର ଦ୍ୱାରସ୍ଥ ହୋଇଛନ୍ତି ସମସ୍ତେ । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଖଣ୍ଡରାବଳୀ ଗାଁରେ ଘଟିଥିବା ଏଭଳି ଘଟଣାକୁ ନେଇ ଏବେ ଖୁବ ଚର୍ଚା । ଗାଁ କୁ ଗାଁ ବୁଲି ଲୋନ୍ ଦେଉଥିବା ଚିଟଫଣ୍ଡ୍ ସଂସ୍ଥାର ଏଜେଣ୍ଟ୍ ଏବଂ ସ୍ବୟଂ ସହାୟିକା ଗୃପ୍ ର ମହିଳାମାନଙ୍କ ସହ ମଧ୍ୟସ୍ଥି ସାଜି ସବୁତକ ଟଙ୍କା ହାତେଇ ନେଉଥିଲା ଖଣ୍ଡରାବଳୀ ଗ୍ରାମର ଅଶୋକ ସାହୁ ।
ବର୍ଷବର୍ଷ ଧରି ଏପରି କାରବାର କରିବା ପରେ ଶେଷରେ ପ୍ରାୟ ୪୦ ଲକ୍ଷ ଟଙ୍କା ନେଇ ଘରେ ତାଲା ପକାଇ ଗତ ନଭେମ୍ବରରେ ମାସରେ ଫେରାର ହୋଇଗଲା । ନିଜ ଟଙ୍କା ଫେରି ପାଇବା ପାଇଁ ଶେଷରେ ଏଭଳି ନିଆରା ପ୍ରତିବାଦ କରିଛନ୍ତି ସଂପୃକ୍ତ ମହିଳାମାନେ । ଅନ୍ୟପଟେ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ଫେରାର ଅଶୋକ ସାହୁକୁ ଖୋଜୁଛି ପୋଲିସ । ସେପଟେ, ସଂପୃକ୍ତ ଘର ବିକ୍ରି କରିବାକୁ ଉଦ୍ୟମ ହେଉଥିବା ସୂଚନା ପାଇ ଘର ବନ୍ଧକ ଥିବା ସଂକ୍ରାନ୍ତରେ ନୋଟିସ୍ ଲଗାଇଛି ଭଂଜନଗର ଆଇଡିଏଫସି ବ୍ୟାଙ୍କ୍ ।
ଏହାସହ ମହିଳାଙ୍କ ନାମରେ ଋଣ ଦେଇଥିବା ସଂସ୍ଥାର କର୍ମଚାରୀମାନେ ମଧ୍ୟ ଟଙ୍କା ଆଦାୟ କରିବା ପାଇଁ ଫେରାର ଅଶୋକର ଘର ଆଗରେ ପଇଁତରା ମାରୁଛନ୍ତି । ଏକ୍ଷେତ୍ରରେ ଖୁବ ଶୀଘ୍ର ଗିରଫ କରାଯାବା ସହ ଧାର ଦେଇଥିବା ମହିଳାମାନେ ସେମାନଙ୍କ ଟଙ୍କା ଫେରି ପାଇବେ ବୋଲି କହିଛନ୍ତି ଭଂଜନଗର ଏସଡିପିଓ । ପ୍ରଥମେ ଆଶ୍ରୟ ତା’ପରେ ବ୍ୟବସାୟ । ଏହା ପରେ ବିଶ୍ବାସ ଜମେଇ ଅର୍ଥ କାରବାର । ଶେଷରେ ୪୦ ଲକ୍ଷ ଟଙ୍କା ଚଳୁକରି ଚମ୍ପଟ । ଏହି ଘଟଣା ପରେ ଅର୍ଥ କାରବାର ନେଇ ଗ୍ରାମାଞ୍ଚଳ ଲୋକଙ୍କ ଭିତରେ ଅବିଶ୍ବାସ ଏବଂ ଆଶଙ୍କା ସୃଷ୍ଟି ହୋଇଛି । ଟଙ୍କା ଫେରିପାଇବା ପାଇଁ ପୋଲିସର ଦ୍ବାରସ୍ଥ ମହିଳାମାନେ ଏବେ ନ୍ୟାୟ ଅପେକ୍ଷାରେ ।