ମୁନସୀ ମେଳଣରେ ରଙ୍ଗ ଖେଳିଲେ ପୋଲିସ ଜନତା, ସଂସ୍କୃତି ଓ ପରମ୍ପରାରର ନିଆରା ଝଲକ

ସୁସଜ୍ଜିତ ବିମାନ ଗୁଡିକରେ ସ୍ଥାନ ପାଇଛନ୍ତି ରାଧାକୃଷ୍ଣଙ୍କ ଯୁଗଳ ମୁର୍ତ୍ତି । ମଖମଲିଆ ଥାଟବାଟ ସାଙ୍ଗକୁ ସୁନ୍ଦର ସାଜସଜ୍ଜାରେ ଝଟକୁଛି ବିମାନ । ବିମାନ ବିମାନ ମଧ୍ୟରେ ଲାଗିଛି ପ୍ରତିଯୋଗିତା । ବାଦ୍ୟ ନୃତ୍ୟ ସହିତ ଦେଖିବାକୁ ମିଳିଛି ସଂସ୍କୃତି ଓ ପରମ୍ପରାରର ଝଲକ । ଠାକୁର ବାଡିଆ ଭାଇମାନେ ନାଚଗୀତ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରି ମେଲଣ ପଡିଆରେ ଏକତ୍ରିତ ହୋଇଛନ୍ତି ।
ବାସ୍ତବରେ ଏହା କେବଳ ମେଳଣ ଉତ୍ସବ ନୁହେଁ ଏହା ଏକ ଅପୁର୍ବ ମିଳନର ପର୍ବ । ଏଥିପାଇଁ ବିମାନ ଗୁଡିକୁ ପୂର୍ବରୁ ପାନଗୁଆ ଦେଇ ନିମନ୍ତ୍ରଣ କରାଯାଇଥାଏ । ଅନେକ ବିମାନ ବାପା ଜେଜେବାପା ଅମଳରୁ ଏହି ମେଳଣ ପର୍ବରେ ସାମିଲ ହୋଇ ଆସୁଛନ୍ତି । ଭଦ୍ରକରେ ଧୁମଧାମରେ ପାଳିତ ହୋଇଯାଇଛି ପ୍ରସିଦ୍ଧ ଐ୍ୟତିହାସିକ ମୁନସୀ ମେଳଣ । ବଡ ଜାକଜମକରେ ଅନୁଷ୍ଠିତ ହୋଇଛି ଏହି ମିଳନ ପର୍ବ । ବଡ କଥା ହେଲା ପୋଲିସ ଓ ଜନତା ମିଳିତ ଭାବେ ପାଳିଛନ୍ତି ଏଠାକାର ଏହି ପାରମ୍ପରିକ ଉତ୍ସବ ।
ପୋଲିସ -ଜନତା ମଧ୍ୟରେ ସୁସମ୍ପର୍କକୁ ଅଧିକ ଦୃଢ଼ୀଭୂତ କରିବା ଲକ୍ଷ୍ୟ ନେଇ ଇଂରେଜ ଶାସନ ସମୟରୁ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ପରିସରରେ ଆରମ୍ଭ ହୋଇଥିବା ମୁନସୀ ମେଳଣ ଏବେ ଗଣ ପର୍ବରେ ପରିଣତ ହୋଇଛି । ଭାରତ ଛାଡ଼ ଆନ୍ଦୋଳନ ବେଳେ ଉତ୍ୟକ୍ତ ଜନତା ଭଣ୍ଡାରିପୋଖରୀ ଥାନାକୁ ପୋଡି ଦେଇଥିଲେ । ଫଳରେ ସେତବେଳେ ଇଂରେଜ ପୋଲିସ ଓ ଜନତା ମଧ୍ୟରେ ତିକ୍ତତା ବଢିଲା । ତେଣୁ ସେତେବେଳର ମୁନିସି ସାହେବ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ପାଇଁ ଥାନା ପରିସରରେ ଆରମ୍ଭ କରିଥିଲେ ଦୋଳ ମେଳଣ ଉତ୍ସବ । ଯାହା ଆଜି ପ୍ରସିଦ୍ଧ ମୁନସୀ ମେଳଣ ଭାବେ ପ୍ରସିଦ୍ଧି ଲାଭ କରିଛି । ତେବେ ଏହି ମେଳଣ ଏବେ ୮୨ ବର୍ଷରେ ପହଞ୍ଚିଛି ।
ଚଳିତ ବର୍ଷ ମହା ଆଡମ୍ବର ସହିତ ପ୍ରସିଦ୍ଧ ମୁନସୀ ମେଳଣ ଅନୁଷ୍ଠିତ ହୋଇଛି । ୧୯୪୩ ମସିହାରୁ ତତ୍କାଳୀନ ମୁନସୀ ସାହେବ ଆରମ୍ଭ କରିଥିବା ଏହି ମେଳଣ ଏବେ ଭଣ୍ଡାରିପୋଖରୀ ଅଞ୍ଚଳରେ ଗଣ ପର୍ବ ଭାବେ ପାଳିତ ହେଉଛି । ଏହି ମେଳଣରେ ପୋଲିସ ଜନତା ରଙ୍ଗ ଖେଳୁଛନ୍ତି । ଭଣ୍ଡାରିପୋଖରୀ ଥାନା ବାବୁ ଏଠାରେ ମେଳଣ ଦିନ ନିଜ ପୋଲିସ ଡ୍ରେସ ପିନ୍ଧନ୍ତି ନାହିଁ । ଆୟୋଜକ ଭାବେ ମେଳଣ ଉତ୍ସବକୁ ସାଧାରଣ ଲୋକଙ୍କ ସହିତ ମିଶି ପାଳନ କରନ୍ତି । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ରୁ ଅଧିକ ବିମାନ ଶୋଭାଯାତ୍ରା କରି ଥାନା ପରିସରକୁ ଆସିଥିଲେ । ନାଚ ଗୀତ ସହ ଏଠାରେ ଆସର ଜମିଥାଏ । ଥାନା ନିକଟରେ ମେଢ଼ ପହଞ୍ଚିବା ପରେ ଆରମ୍ଭ ହୋଇଥିଲା ରଙ୍ଗ ଖେଳ । ପୋଲିସ ଜନତା ମିଶି ପରସ୍ପର ସହ ରଙ୍ଗ ଖେଳିଥିଲେ । ସେହିପରି ଆଧୁନିକ ନାଚ ଗୀତ ଅନୁଷ୍ଠିତ ହୋଇଥିଲା । ସେହିପରି ଅସ୍ଥାୟୀ ଦୋକାନ ବଜାର ପଡିଥିଲା ।
ସେହିପରି ଏହି ମେଳଣକୁ ଅଧିକ ଆକର୍ଷିତ କରିବା ପାଇଁ ଭଣ୍ଡାରିପୋଖରୀ ପୋଲିସ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା । ତିନି ଦିନ ଧରି ଏହି ମେଳଣ ଉତ୍ସବ ଆୟୋଜନ କରାଯାଇଥିଲା । ଠାକୁର ବାଡ଼ିଆମାନେ ଅତି ଶୃଙ୍ଖଲାର ସହିତ ବିମାନରେ ଠାକୁରଙ୍କୁ ବସାଇ ଥାନା ପରିସରକୁ ଆଣିଥିଲେ । ପରେ ଥାନାଧିକାରୀ ଠାକୁରଙ୍କୁ ଭୋଗ ଲଗାଇଥିଲେ ।
ସାଧାରଣ ଲୋକଙ୍କ ମନରୁ ପୋଲିସ ପ୍ରତି ଥିବା ଭୟ ଦୂରର ମାଧ୍ୟମ ହୋଇଛି ମୁନସୀ ମେଳଣ । ଆଉ ଏହି ମେଳଣ ସବୁ ବର୍ଷ ପୋଲିସ ଓ ଜନତାଙ୍କ ମଧ୍ୟରେ ନୂଆ ସମ୍ପର୍କ ମଧ୍ୟ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନେଇଛି ।
Also Read : ଆଜି ପୁରୀରେ ଅନୁଷ୍ଠିତ ହେବ ଗୋସାଣୀ ଉତ୍ସବ,୫୦ରୁ ଉର୍ଦ୍ଧ୍ବ ମୂର୍ତ୍ତି ମେଳଣରେ ସାମିଲ