ଆଜି ୬୨ ତମ ସହିଦ ଦିବସ: ଦେଶରେ ୨୦୨୦ ସେପ୍ଟେମ୍ବର ୧ରୁ ଅଗଷ୍ଟ ୩୦ ମଧ୍ୟରେ ସହିଦ ହୋଇଛନ୍ତି ୩୭୭, ଓଡ଼ିଶାରୁ ୪

ଭୁବନେଶ୍ବର(କେନ୍ଯୁଜ୍): ପୋଲିସ ପାଳୁଛି ୬୨ ତମ ସହିଦ ଦିବସ। ୧୯୫୯ ମସିହାରେ ଚୀନ ସୈନ୍ୟଙ୍କ ଆକ୍ରମଣରେ ଲଦାଖ ଅଞ୍ଚଳରେ ୧୦ ଜଣ ଭାରତୀୟ ସିଆରପିଏଫ ପ୍ରାଣବଳୀ ଦେଇଥିଲେ। ସେମାନଙ୍କ ସ୍ମୃତିରେ ସାରା ଭାରତ ବର୍ଷରେ ଅକ୍ଟୋବର ୨୧ ତାରିଖରେ ପାଳିତ ହେଉଛି ପୋଲିସ ସହିଦ ସ୍ମୃତି ଦିବସ। ୧୯୬୦ ମସିହାରୁ ଅଦ୍ୟାବଧି ୩୫ ହଜାରରୁ ଅଧିକ ଆରକ୍ଷୀ ଦେଶ ମାତୃକାର ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି।

୨୦୨୦ ସେପ୍ଟେମ୍ବର ୧ ତାରିଖରୁ ୨୦୨୧ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ ପୋଲିସ ବଳ ଓ ରାଜ୍ୟ ପୋଲିସର ୩୭୭ ଜଣ ପ୍ରାଣବଳୀ ଦେଇଛନ୍ତି। ଓଡିଶାରୁ ସହିଦ ହୋଇଥିବା ବୀର ଯବାନଙ୍କ ମଧ୍ୟରେ ଅଛନ୍ତି, ହାବିଲଦାର ସୁନୀଲ କୁମାର ନାୟକ, ଏସଓଜି କମାଣ୍ଡୋ ଦେବାଶିଷ ସେଠୀ ଓ ସୁଧୀର କୁମାର ଟୁଡୁ ଏବଂ ଓଏପିଏଫ ଅନୀଲ ଏକ୍କା। ଏହାବ୍ୟତୀତ ୨୦୨୦ ଅକ୍ଟୋବର ୧୭ ତାରିଖରୁ ୨୦୨୧ ଅକ୍ଟୋବର ୧୬ ମଧ୍ୟରେ ଓଡିଶା ପୋଲିସର ୨୨ ଜଣ କର୍ମଚାରୀ ଓ ଧିକାରୀ କରୋନାରେ ସହିଦ ହୋଇଛନ୍ତି। ୨୦୨୦ ସେପ୍ଟେମ୍ବର ୧ ତାରିଖରୁ ଅଦ୍ୟାବଧି ରାଜ୍ୟରେ ପୋଲିସ ମାଓବାଦୀଙ୍କ ମଧ୍ୟରେ ୩୨ ଥର ଗୁଳି ବିନିମୟ ଘଟିଛି।

ଏଥିରେ ୧୫ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି। ଏହି ସମୟ ମଧ୍ୟରେ ୩୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨୦ ଜଣ ଆତ୍ମ ସମର୍ପଣ କରିଛନ୍ତି। ଆଇନଶୃଙ୍ଖଳା ରକ୍ଷା ସମୟରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବା ଅମର ଆତ୍ମାମାନଙ୍କ ପ୍ରତି ଏହି ପବିତ୍ର ଦିବସରେ ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଶ୍ରେଷ୍ଠ ସମ୍ମାନ ପ୍ରଦର୍ଶନ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.