ଅଧା ରହିଗଲା ଶ୍ରାଦ୍ଧ, ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ ଏକାଦଶ କର୍ମରୁ ସ୍ୱାମୀକୁ ଉଠାଇ ନେଲା ପୋଲିସ

ସାଲେପୁର(କେନ୍ୟୁଜ୍): ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ ଏକାଦଶ କର୍ମରୁ ସ୍ୱାମୀକୁ ଉଠାଇ ନେଲା ପୋଲିସ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନେମାଳ ଥାନା ମଙ୍ଗଳପୁର ଗାଁରେ। ଏହି ଗାଁର ଭିକାରୀ ମହାନ୍ତିଙ୍କ ପୁଅ ରୁଦ୍ର ପ୍ରସାଦ ମହାନ୍ତି, କେନ୍ଦ୍ରାପଡ଼ା ଜିଲ୍ଲା ଭଗବାନପୁର ଗାଁର ଅଧିର ସ୍ୱାଇଁଙ୍କ ପାଳିତ ଝିଅ ସୁଭଦ୍ରା ରାଣୀ ଦାସଙ୍କୁ ପ୍ରେମ ବିବାହ ସହ ରେଜିଷ୍ଟ୍ରି ବିବାହ କରିଥିଲେ। ଗତ ତାରିଖ ସଂଧ୍ୟାରେ ସୁଭଦ୍ରାଙ୍କ ନିଜ ଶ୍ବଶୁର ଘରେ ରୋଗାଗ୍ରସ୍ଥ ଅବସ୍ଥାରେ ମୃତ୍ୟୁ ହୋଇଥିବା ସ୍ୱାମୀ ଓ ଶ୍ଵଶୁର କହୁଥିବାବେଳେ, ଝିଅର ମୃତ୍ୟୁ ଖବର ଝିଅର ପରିବାର ଲୋକଙ୍କୁ ଜଣାଯାଇ ନଥିଲା। ଆଉ କୈାଣସି ସୂତ୍ରରୁ ଖବର ପାଇ ପରିବାର ଲୋକେ ଝିଅ ଘରକୁ ଆସି ଦେଖନ୍ତି ତ ଝିଅର ମୃତ୍ୟୁ ୧୦ ଦିନ ତଳୁ ହେଲାଣି।
ଗତକାଲି ପରିବାର ପକ୍ଷରୁ ନେମାଳ ଥାନାରେ ଏତଲା ପରେ ଆଜି ସ୍ତ୍ରୀର ଏକାଦଶ କର୍ମରୁ ସ୍ୱାମୀକୁ ଉଠାଇ ନେଲା ନେମାଳ ପୋଲିସ। ସ୍ତ୍ରୀ ସୁଭଦ୍ରାଙ୍କ ନାମରେ ପାରାଦୀପ ଅଂଚଳରେ ଥିବା କିଛି ଜମିକୁ ସ୍ୱାମୀ ରୁଦ୍ର ପ୍ରସାଦ ଧମକ ଚମକ ଦେଇ ବିକ୍ରି କରି ଟଙ୍କା ହଡପ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ। ଆଉ ଝିଅକୁ ରୋଗୀଣା, ମାନସିକ ରୋଗୀ କହି କହି, ସ୍ୱାମୀ ରୁଦ୍ର ପ୍ରସାଦ ଜୀବନରୁ ମାରିଦେଇଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ବାପା ଅଧୀର ସ୍ୱାଇଁ।
ପ୍ରଶ୍ନ ଉଠିଛି ଯଦି ସ୍ୱାମୀଙ୍କ କଥାକୁ ସତ ବୋଲି ମାନି ନିଆଯାଏ ତେବେ ସ୍ୱାମୀ ରୁଦ୍ର ପ୍ରସାଦଙ୍କ ସ୍ତ୍ରୀ ସୁଭଦ୍ରା ଜଣେ ସାଇକ୍ରାଟିକ୍ସ ବା ମାନସିକ ରୋଗୀ। ତେବେ ଏହି ଏକ ମାସ ତଳେ ଯାଇ ନିଜ ନାମରେ ପାରାଦୀପ ଅଂଚଳରେ ଥିବା ଲକ୍ଷ ଲକ୍ଷ ମୂଲ୍ଯର ଜାଗା ବିକ୍ରି କଲେ କେମିତି ଆଉ ଟଙ୍କା ଆଣି କଲେ କ’ଣ ? ଏପଟେ ସୁଭଦ୍ରାଙ୍କ ମୃତ୍ୟୁ ଖବର ସୁଭଦ୍ରାଙ୍କ ପରିବାର ଙ୍କୁ ନଜଣାଇ ଶେଷକୃତ୍ୟ କରିଦେବା ଆଉ ଶେଷକୃତ୍ୟର ଦଶ କର୍ମ ବେଳେ ବାପା ଆସି ଝିଅ ଘରେ ପହଞ୍ଚି ମୃତ୍ୟୁ ଖବର ପାଇବା,ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ହୋଇଥାଇ ପାରେ ବୋଲି ମୃତକଙ୍କ ପରିବାର ଦାବି କରୁଥିବା ବେଳେ ପୋଲିସର ନିରପେକ୍ଷ ତଦନ୍ତର ଆବଶ୍ଯକତା ଜରୁରୀ ହୋଇ ପଡିଛି।