କେବଳ ମନ୍ଦିରକୁ ଟାର୍ଗେଟ, ୨୭ ବର୍ଷରେ ୪୭ ମନ୍ଦିରରୁ ଚୋରି
ଜୟପୁର : ଭଗବାନଙ୍କୁ ଛାଡୁନଥିଲା । ମନ୍ଦିରରୁ ଉଠାଇ ନେଉଥିଲା ଦେବାଦେବୀଙ୍କ ମୂର୍ତ୍ତି ଓ ଅଳଙ୍କାର । ମାତ୍ର ୧୮ ବର୍ଷ ବୟସରୁ ବିଭିନ୍ନ ମନ୍ଦିର ଥିଲା ତାର ଟାର୍ଗେଟରେ । ଏଇ ବୟସରୁ ଥିଲା ପୂରା ସୈତାନର ଦିମାକ। ଏଇ ଚୋରି କରି କରି ବଡ଼ ହୋଇଛି । ଏବେ ତାକୁ ୪୫ ବର୍ଷ ଛୁଇଁଛି । ଏହାରି ଭିତରେ ସେ ୪୭ ମନ୍ଦିରରୁ ଚୋରି କରିଛି । ରାତିରେ ଯେତେବେଳେ ପୂରା ସହର ଶୋଇ ଯାଉଥିଲା, ସେହି ସମୟରେ ସେ ମନ୍ଦିରରେ କଳାକନା ବୁଲାଉଥିଲା । ଏକଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ୨୭ ବର୍ଷ ମଧ୍ୟରେ ଅନେକ ମନ୍ଦିରରୁ ଚୋରି କରି ପୋଲିସ ଆଖିରେ ଧୂଳି ଦେଇ ବୁଲୁଥିଲା । ହେଲେ କଥାରେ ଅଛି ପରା ଚୋର ଘର ସବୁଦିନ ଅନ୍ଧାର ରୁହେନି । ସେଥିପାଇଁ ପୋଲିସ ନଜରରୁ ବର୍ତ୍ତିପାରି ନାହିଁ ଏଇ କୁଖ୍ୟାତ ମନ୍ଦିର ଚୋର ଘନଶ୍ୟାମ ଦାସ ।
୨୭ ବର୍ଷ ଧରି ଖୁବ ଚତୁରତାର ସହ କେବଳ ମନ୍ଦିରକୁ ଟାର୍ଗେଟ କରୁଥିଲା । ୪୭ରୁ ଊର୍ଦ୍ଧ୍ଵ ମନ୍ଦିରରେ କଳାକନା ବୁଲେଇ ଥିଲା । ତେବେ ପୋଲିସକୁ ଏମିତି ଚକମା ଦେଉଥିଲା ଯେ ଏତେ ବର୍ଷ ଧରି ଧରା ପଡୁନଥିଲା । ତେଣୁ ପୋଲିସ୍ ପାଇଁ ଘନଶ୍ୟାମକୁ ଧରିବା ଏକ ବଡ଼ ଚ୍ୟାଲେଞ୍ଜ ପାଲଟି ଥିଲା l ଜଗନ୍ନାଥ ମନ୍ଦିରଠାରୁ ଆରମ୍ଭ କରି ଶ୍ରୀଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପର୍ଯ୍ୟନ୍ତ, ସବୁ ମନ୍ଦିରରେ କଳାକନା ବୁଲାଇ ଦେଇଛି । କୋରାପୁଟ୍ ଜିଲ୍ଲା ଜୟପୁର ସହରରେ ଥିବା କନକ ପରମେଶ୍ୱରୀ ମନ୍ଦିରରୁ ଚୋରି ଘଟଣାର ଖିଅ ଖୋଜି ଖୋଜି ଚୋର ଘନଶ୍ୟାମ ଦାସ ପାଖରେ ପହଞ୍ଚି ଥିଲା ପୋଲିସ୍ । ଏବେ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ନୟାଗଡ଼ର ଏହି କୁଖ୍ୟାତ ମନ୍ଦିର ଚୋର ଘନଶ୍ୟାମକୁ ଦେଖିଲେ ଆଖିକୁ ସାଦାସାଧା ନିରୀହ ଲାଗିବ । ମାତ୍ର ମୁଣ୍ଡ ତାର କମ୍ପୁଟର । ପୂରା ବିଚକ୍ଷଣ । କିଛି ଲୁହା ସାମଗ୍ରୀ ସାହାଯ୍ୟରେ ଓଡିଶା,ଆନ୍ଧ୍ର ଓ କର୍ଣ୍ଣାଟକର ବିଭିନ୍ନ ଚର୍ଚ୍ଚିତ ଏବଂ ଜନ ଗହଳିପୂର୍ଣ୍ଣ ସ୍ଥାନରେ ଥିବା ମନ୍ଦିରରୁ ଚୋରି କରି ତିନି ରାଜ୍ୟର ପୋଲିସକୁ ଖୁବ୍ ଭୁଆଁ ଭୁଲାଉଥିଲା । ଫେବୃଆରୀ ମାସରେ ଜୟପୁର କନକ ପରମେଶ୍ୱରୀ ମନ୍ଦିର ଚୋରି ଘଟଣାର ତଦନ୍ତ ବେଳେ ସାରୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଘନଶ୍ୟାମର ଚୋରି ଇତିହାସ ଧରା ପଡିଛି l
ଘନଶ୍ୟାମ ଆନ୍ଧ୍ର ପ୍ରଦେଶରୁ ପ୍ରଥମେ ଚୋରି ଆରମ୍ଭ କରିଥିଲା । ସେ ବିଜୟୱାଡ଼ାର ପ୍ରତିଷ୍ଠିତ କନକଦୁର୍ଗା ମନ୍ଦିରରୁ ପ୍ରଥମ ଚୋରି କରିଥିଲା। ତା’ପରେ ସେ ୨୦୧୫ ମସିହାରେ ଆନ୍ଧ୍ର ପ୍ରଦେଶରେ ସାଇବାବା ମନ୍ଦିରରୁ ଚୋରି କରିଥିଲା। ସେହି ମନ୍ଦିରରୁ ୧୮କେଜି ଗହଣା ନେଇ ଯାଇଥିଲା । ସେହି ବର୍ଷ ପୁରୀ ଜଗନ୍ନାଥ ମନ୍ଦିର, ଅନୁଗୋଳ ଅମଲାପଡ଼ା ଜଗନ୍ନାଥ ମନ୍ଦିର, ଆନ୍ଧ୍ର ପ୍ରଦେଶ ଇଷ୍ଟ ଗୋଦାବରୀ ଜିଲ୍ଲାର ଶ୍ରୀଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରୁ ବଡ଼ ଧରଣର ଚୋରି କରିଥିଲା। ଯାହା ସମଗ୍ର ଅଞ୍ଚଳରେ ଆଲୋଡ଼ନ ଖେଳାଇ ଦେଇଥିଲା।
ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ଘନଶ୍ୟାମକୁ ଗିରଫ କରିଥିଲା। ତାଙ୍କଠାରୁ ପାଖାପାଖି ୬୦ କେଜି ରୁପା ଗହଣା ଓ ନଗଦ ୨୫ ଲକ୍ଷ ଟଙ୍କା ଜବତ କରିଥିଲା। ଗିରଫ ପରେ ପୋଲିସ୍ ତାଙ୍କୁ ଜେଲ୍ ପଠାଇ ଦେଇଥିଲା। ଜେଲ୍ରେ କିଛି ଦିନ ରହିବା ପରେ ସେ ବାହାରି ଥିଲା ସିନା ହେଲେ ମନ୍ଦିର ଚୋରି ନିଶା ଛାଡ଼ି ପାରି ନଥିଲେ । ରାଜ୍ୟ ଓ ରାଜ୍ୟ ବାହାରେ ସେ ବୁଲି ବୁଲି ଚୋରି କରୁଥିଲା। ଆଜି ପର୍ଯ୍ୟନ୍ତ ସେ ୪୭ଟିରୁ ଅଧିକ ମନ୍ଦିରରୁ ଚୋରି କରିଛି। ଯେଉଁଥିରେ ଆନ୍ଧ୍ର ପ୍ରଦେଶରେ ୨୪ଟି, ଓଡ଼ିଶାରେ ୧୪ଟି ଓ କର୍ଣ୍ଣାଟକରେ ୯ଟି ମାମଲା ରହିଛି ।
ତେବେ ଗତ ୩ ତାରିଖରେ ଜୟପୁର ସହରରେ ଥିବା କନକ ପରମେଶ୍ୱରୀ ମନ୍ଦିରରୁ ଚୋରି ହୋଇଥିଲା। ଘନଶ୍ୟାମ ମନ୍ଦିର ତାଲା ଭାଙ୍ଗି ଠାକୁରଙ୍କ ପୂଜା ସାମଗ୍ରୀ, ସୁନା ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲା। ଏପରିକି ସିସିଟିଭି ଡିଭିଆର୍ ଗାଏବ କରି ଦେଇଥିଲା । ତଦନ୍ତ ବେଳେ ଜଣାପଡ଼ିଲା କି ଅଭିଯୁକ୍ତ ଘନଶ୍ୟାମ ପୂର୍ବରୁ କେରଳ ଜେଲରୁ ପାରୋଲରେ ଫେରିଥିଲା । ଫଳରେ ତାକୁ ନୟାଗଡ଼ ଘରୁ ଗିରଫ କରିବା ସହଜ ହୋଇଥିଲା l ମନ୍ଦିରରେ କଳାକନା ବୁଲେଇଥିବା ଘନଶ୍ୟାମ ପୂର୍ବରୁ ମାତ୍ର ତିନିଥର ଜେଲ ଯାଇଥିଲା । ତଥାପି ମନ୍ଦିର ଚୋରିରେ ମାହିର ଥିବାରୁ ଏହାକୁ ଟାର୍ଗେଟ କରୁଥିଲା । ଏହା କହିଛନ୍ତି ଜୟପୁର ଏସଡିପିଓ l ଗିରଫ ବେଳେ ତା ନିକଟରୁ ଲକ୍ଷାଧିକ ଟଙ୍କାର ରୁପା ସାମଗ୍ରୀ ଓ ନଗଦ ଦୁଇ ଲକ୍ଷ ଟଙ୍କା ଜବତ କରି ମନ୍ଦିର କମିଟିକୁ ହସ୍ତାନ୍ତର କରିଛି ପୋଲିସ୍ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୋଲିସ୍ । ଏହା ସହ ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡିଲେ ରିମାଣ୍ଡରେ ଅଣlଯିବ ବୋଲି କହିଛନ୍ତି ଆଇପିଏସ ଅଙ୍କିତ ବର୍ମା l ଏପଟେ ଚୋରିର ଦୀର୍ଘ ୪ମାସ ପରେ ମନ୍ଦିର ସାମଗ୍ରୀ ପାଇ ଖୁସି ଥିବା କହିଛନ୍ତି କନକ ପରମେଶ୍ୱରୀ ମନ୍ଦିର ସମ୍ପାଦକ l
ଇଏତ ସରକାରୀ ଭାବେ ଘନଶ୍ୟାମ ନାଁରେ ଯେତିକି ମାମଲା ଥିଲା ତାର ତାଲିକା । ହେଲେ ଆହୁରି ଅନେକ ଘଟଣା ପୋଲିସ୍ ଏଫ୍ଆଇଆରକୁ ଯାଇ ନାହିଁ । ପୋଲିସର ସୂଚନା ଅନୁସାରେ ଘନଶ୍ୟାମ ଏକାକୀ ସବୁ ଚୋରି କରୁଥିଲା । ତାର କୌଣସି ଟିମ୍ ନଥିଲା । ନିଜର ମନ୍ଦିର ଚୋରି କୌଶଳ ବିଷୟରେ ସେ କହିଛି କି ଯେଉଁ ମନ୍ଦିରରେ ଅଧିକ ଅଳଙ୍କାର ଧନରତ୍ନ ଥାଏ ତାକୁ ଟାର୍ଗେଟ କରେ । ପ୍ରଥମେ ଭଲ ଭାବେ ମନ୍ଦିର ବିଷୟରେ ଏହାର ପରିଚାଳନା କଥା ବୁଝି ପ୍ଲାନ୍ ବନାଏ । ତାପରେ ରାତିରେ ଲୁଟିନିଏ ।