ଶୈଳଶ୍ରୀ ବିହାର ତ୍ରିକୋଣୀୟ ପ୍ରେମ ପାଇଁ ଛୁରାମାଡ଼ ଘଟଣା, ଗୌରୀ ଶଙ୍କରକୁ ଗିରଫ କଲା ପୋଲିସ
ଭୁବନେଶ୍ୱର(କେନ୍ୟୁଜ) : ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ତ୍ରିକୋଣୀୟ ପ୍ରେମ ପାଇଁ ଛୁରାମାଡ଼ ଘଟଣାରେ ଆଜି ଗୌରୀ ଶଙ୍କରକୁ ଗିରଫ କରିଛି ପୋଲିସ । ଘଟଣା ପରେ ଗୌରୀଶଙ୍କର ଲେଙ୍କା ଚନ୍ଦ୍ରଶେଖରପୁର ଥାନାରେ ଅଟକ ରହିଥିଲା । ଆଜି ପ୍ରିୟରଞ୍ଜନ ଲେଙ୍କା ଏନେଇ ଥାନାରେ ଏତଲା ଦେଇଥିଲେ । ପୋଲିସ ଗୌରୀଶଙ୍କରଙ୍କୁ ଗିରଫ କରି ପଚରାଉଚରା କରୁଛି ।
ପୋଲିସ ସୂଚନା ଅନୁସାରେ ପ୍ରିୟ ରଞ୍ଜନ ଓ ଗୌରୀ ଶଙ୍କର ଲେଙ୍କା ଦୁହେଁ ଭିନ୍ନ ଭିନ୍ନ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର । ଗୌରୀ ଶଙ୍କର ନିଜ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀଙ୍କୁ ଭଲ ପାଉଥିଲେ । ପରେ ଅନ୍ୟ ଇଂଜିନିୟରିଂ କଲେଜର ଛାତ୍ର ପ୍ରିୟ ରଂଜନ ଗୌରୀ ଶଙ୍କର ଭଲ ପାଉଥିବା ଝିଅକୁ ଭଲ ପାଇ ବସିଲେ ।
ଏହି କଥା ଗୌରୀ ଶଙ୍କର ଜାଣିବା ପରେ ନିଜ ପ୍ରେମିକା ଛାତ୍ରୀର ମୋବାଇଲକୁ ଫିଙ୍ଗି ଭାଙ୍ଗି ଦେଇଥିଲେ । ଏକଥା ପ୍ରିୟ ରଂଜନ ଜାଣିବା ପରେ ଉକ୍ତ ଝିଅଙ୍କ ମୋବାଇଲ ସଜାଡି ଆଣିଥିଲେ । ପରେ ପ୍ରିୟ ରଂଜନ ମୋବାଇଲ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ଗୌରୀ ଶଙ୍କରଙ୍କୁ ମାଗିଥିଲେ । ଗୌରୀ ଶଙ୍କର ଟଙ୍କା ଦେବେ ବୋଲି କହି ତାଙ୍କୁ ଡାକିଥିଲେ ।
ହେଲେ ପ୍ରିୟ ରଂଜନ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଟଙ୍କା ଦେବାକୁ ନେଇ ଉଭୟଙ୍କ ମଧ୍ୟରେ ହାତା ହାତି ଓ ପରେ ଛୁରା ମାଡ଼ ହୋଇଥିଲା । ଗୌରୀ ଶଙ୍କରଙ୍କ ଛୁରାମାଡ଼ରେ ପ୍ରିୟ ରଂଜନ ଗୁରୁତର ଆହତ ହୋଇଥିଲେ । ଗୌରୀ ଶଙ୍କରଙ୍କୁ ପ୍ରଥମେ କ୍ୟାପିଟାଲ ହସପିଟାଲ ଓ ପରେ ସେ ଗୁରୁତର ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଚନ୍ଦ୍ରଶେଖର ଥାନା ପୋଲିସ ଗୌରୀ ଶଙ୍କରଙ୍କୁ ଥାନାରେ ଅଟକ ରଖିଥିଲା।