ରାୟଗଡା (କେନ୍ୟୁଜ): ଦିନକୁ ଦିନ ବଢ଼ି ଚାଲିଛି ଲୁଟ୍ ଓ ଡକାୟତି ମାମଲା । ଡକାୟତମାନେ ଲୁଟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଆଉ ଭାବନ୍ତି ଲୁଟ କରି ଖସି ପଳାଇବେ । କିନ୍ତୁ ଏମାନଙ୍କ ଚାଲାକି ସବୁବେଳେ କାମ ଦିଏନି । ପୋଲିସ ନିଜ କାର୍ଯ୍ୟଦକ୍ଷତା ଦେଖାଇ ଏଭଳି ଡକାୟତଙ୍କ ଯୋଜନାକୁ ପଣ୍ଡ କରେ । ସମାନ ଭାବେ ରାୟଗଡା ଜିଲ୍ଲାର ଶେଷଖାଲ ପୋଲିସକୁ ମିଳିଛି ଏଭଳି ଏକ ବଡଧରଣର ସଫଳତା । ଶେଷଖାଲ ପୋଲିସ ଏକ ଆନ୍ତଃ ରାଜ୍ୟ ଡକାୟତ ଦଳଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି । ଡକାୟତଙ୍କୁ ଧରିବା ପାଇଁ ବିଭିନ୍ନ ପ୍ରକାର ପ୍ଳାନ କରିଥିଲା ପୋଲିସ । ଆଉ ସୁଯୋଗ ଦେଖି ଏ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଶେଷଖାଲ ଥାନାରେ ୭ ଗୋଟି ଡକାୟତି ମାମଲାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୨୧୨ ଗ୍ରାମ ସୁନା, ୪ ଟି ମୋବାଇଲ ଓ ଗୋଟିଏ ମଟରସାଇକେଲ ଜବତ କରିଛି ।
ଜବତ ସୁନା ମଧ୍ୟରେ ୬ ଟି ସୁନା ଖଣ୍ଡ, ୨ ଟି ସୁନା ଚେନ ଏବଂ ଗୋଟିଏ ମଙ୍ଗଳସୂତ୍ର ରହିଥିବା ନେଇ ଜିଲ୍ଲା ପୋଲିସ କାର୍ଯ୍ୟଳୟରେ ରାୟଗଡା ପୋଲିସ ଆରକ୍ଷୀ ଅଧିକ୍ଷକ ହରିଶ ବି.ସି ସୂଚନା ଦେଇଛନ୍ତି । ଗିରଫ ୩ ଜଣ ହେଲେ ଆନ୍ଧ୍ରପ୍ରଦେଶ ରାଜ୍ୟର ମାନ୍ୟମ ଜିଲ୍ଲା ପାର୍ବତୀପୁରମ ସହରର ମିନକା ସୂର୍ଯ୍ୟ କୁମାର, ବିଶାଖାପାଟଣା ଜିଲ୍ଲାର ପି. ଚନ୍ଦ୍ରଶେଖର ଏବଂ ରାୟଗଡ଼ା ସହରର ତୁମ୍ବିଗୁଡ଼ା ବସ୍ତିର ସିଦ୍ଧୁ ମେଲକା । ରାଜ୍ୟ ବାହାରର ଯାତ୍ରୀ ମାନଙ୍କ ଠାରୁ ଚେନ୍ ସ୍ନାଚିଂ କରାଯାଉଥିବା ନେଇ ୭ ଗୋଟି ମାମଲା ରୁଜୁ ହୋଇଥିଲା । ଗିରଫ ଅବିଯୁକ୍ତ ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଡକାୟତ ହୁଅନ୍ତୁ କି ଲୁଟେରା, ଏମାନେ ଲୁଟ କରିବା ପାଇଁ ଖାଲି ସୁଯୋଗ ଖୋଜି ବୁଲନ୍ତି । ଲୁଟିବା ପାଇଁ ଏବେ ଘର କି ଦୋକାନ ବଜାର ନୁହେଁ ସିଧା ଲୋକଙ୍କୁ ଆକ୍ରମଣ କରୁଛନ୍ତି ଲୁଟେରା । ରାସ୍ତାରେ ଯାଉଥିବା ଲୋକଙ୍କ ଠାରୁ ଚେନ୍ ଓ ମୋବାଇଲ ଲୁଟ କରିବା ପାଇଁ ଟାର୍ଗେଟ କରନ୍ତି । ତେବେ ଏମିତି ଘଟଣା ପ୍ରାୟ ପତ୍ୟେକ ଦିନ ଦେଖିବାକୁ ମିଳିଛି । ଯଦି ଆପଣମାନେ ଏସବୁ ଘଟଣାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ସତର୍କ ରୁହନ୍ତୁ । ରାସ୍ତାରେ ଯିବା ସମୟରେ ଫୋନ ବ୍ୟବହାର କରନ୍ତୁ ନାହିଁ । ସୁନା ଚେନ ପକାଇ ଘରୁ ବାହାରୁଥିଲେ ଯଥା ସମ୍ଭବ ଏହାକୁ ଲୁଚାଇ ରଖନ୍ତୁ । ନଚେତ ଆପଣ ବି ଲୁଟର ଶିକାର ହେବେ ।