ଧର୍ମଶାଳା ତହସିଲର ବିଛାଖଣ୍ଡି ପାହାଡ଼ରୁ ବେଆଇନ କଳାପଥର ଲୁଟ, ୩ ଅଭିଯୁକ୍ତ ଗିରଫ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବିଛାଖଣ୍ଡି ପାହାଡ଼ରୁ ବେଆଇନ ଭାବେ କଳାପଥର ଲୁଟ ଘଟଣାରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ, ଧର୍ମଶାଳା ତହସିଲ ଅନ୍ତର୍ଗତ ବିଭିନ୍ନ କଳାପଥର ଖାଦାନରେ ମାଫିଆ ମାନେ ପ୍ରଶାସନକୁ ଚକମା ଦେଖାଇ ବେଆଇନ ଭାବେ କଳାପଥର ଲୁଟ କରି ଅନ୍ୟତ୍ର ଚାଲାଣ କରୁଛନ୍ତି । ଏନେଇ ବାରମ୍ବାର ଅଭିଯୋଗ ପରେ ତହସିଲ ଓ ପୋଲିସ ପକ୍ଷରୁ ବିଭିନ୍ନ ସମୟରେ ସମ୍ପୃକ୍ତ ଖାଦାନରେ ଚଢାଉ କରାଯାଇ ଗାଡି ଓ ମେସିନ ଜବତ କରାଯାଇଛି । ହେଲେ ବେଆଇନ ଭାବେ ଚୋରି କରୁଥିବା ମାଫିଆ ମାନେ ଏଥିରୁ ସହଜରେ ଖସିଯିବାକୁ ସକ୍ଷମ ହେଉଛନ୍ତି ।

jajpur

ଗତ ସପ୍ତାହରେ ଧର୍ମଶାଳା ତହସିଲ ଓ ଜିଲ୍ଲା ପୋଲିସ ସ୍କ୍ବାର୍ଡ ପକ୍ଷରୁ ବେଆଇନ ଭାବେ କଳାପଥର ଖନନ ହେଉଥିବା ବିଛାଖଣ୍ଡି ପାହାଡ଼ରେ ଚଢାଉ କରାଯାଇ ଗାଡି ଓ ମେସିନ ଜବତ କରାଯାଇଥିଲା । ଚଢାଉ ସମୟରେ ବେଆଇନ ଭାବେ ଖନନ କରୁଥିବା ମାଫିଆମାନେ ପୂର୍ବ ସୂଚନା ପାଇ ସେଠାରୁ ଖସିଯାଇଥିଲେ । ଏଠାରେ ବେଆଇନ ଭାବେ କଳାପଥର ଖନନ କରୁଥିବା ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଧର୍ମଶାଳା ତହସିଲଦାର ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଘଟଣାରର ସମ୍ପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇନାହିଁ। ଖୁବ ଶୀଘ୍ର ଅନ୍ୟ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.