ସିଗାରେଟ ଟାଣି ହାପ୍ ପ୍ୟାଣ୍ଟ ପିନ୍ଧି ଫାଣ୍ଡିର ଅଧିକାରୀଙ୍କ ଦାଦାଗିରି, କ୍ଯାମେରାରେ କଏଦ ହେଲା ଭିଜୁଆଲ୍
କାମାକ୍ଷାନଗର(କେନ୍ଯୁଜ୍): କରୋନା କାଳରେ ଏବେ ସାରା ଦେଶରେ ପୋଲିସ କର୍ମଚାରୀଙ୍କ କାର୍ଯ୍ଯକୁ ନେଇ ପ୍ରଶଂସା କରାଯାଉଛି। ଦିନ ରାତି ଏକ କରି ସାଧାରଣ ଜନତାଙ୍କୁ ସୁରକ୍ଷିତ ରଖିବା ପାଇଁ ନିଜର ପ୍ରୟାସ ଜାରି ରଖିଛନ୍ତି ଏହି କରୋନା ଯୋଦ୍ଧା ମାନେ। ହେଲେ କେଉଁଠିନା କେଉଁଠି କିଛି ପୋଲିସ କର୍ମଚାରୀଙ୍କ ପାଇଁ ଆଜିବି ନିନ୍ଦିତ ହେବାକୁ ପଡୁଛି ପୋଲିସ୍ ବିଭାଗକୁ । ନିଜ କ୍ଷମତାର ଅପବ୍ୟବହାର କରିବାକୁ ପଛାଉ ନାହାଁନ୍ତି କିଛି ପୋଲିସ କର୍ମଚାରୀ । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ। ଜଣେ ପୋଲିସ କର୍ମଚାରୀଙ୍କ ଗୁଣ୍ଡାଗର୍ଦି କଏଦ ହୋଇଛି କ୍ଯାମେରାରେ। ଭିଡିଓରୁ ଯାହା ଜଣାପଡିଛି ଏହା ସ୍ବାଧିନତା ଦିବସ ଦିନର। ସିଗାରେଟ ଟାଣି ହାପ୍ ପ୍ୟାଣ୍ଟ ପିନ୍ଧି ଜଣେ ବ୍ଯକ୍ତିଙ୍କୁ ମାଡ ମାରିଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବିରୋଡ଼ ଫାଣ୍ଡିର ଅଧିକାରୀ ସମରେନ୍ଦ୍ର ସାମଲ।
ତେବେ ଦେଶ ୭୫ ତମ ସ୍ବାଧିନତା ଦିବସ ପାଳୁଥିବା ବେଳେ ପାଣ୍ଡି ଅଧିକାରୀ କଣ ପାଇଁ ଏହି ବ୍ୟକ୍ତିଙ୍କୁ ମାଡ ମାରିଥିଲେ? ଘଟଣାଟି ହେଉଛି କି, କଙ୍କଡ଼ାହାଡ଼ ବ୍ଲକ ଦଶିପୁର ଗାଁ ର ସୁଶୀଲ ସ୍ବାଇଁ ନାମରେ ଜମିବାଡି ଓ ପାରିବାରିକ ଗଣ୍ଡଗୋଳ ନେଇ ଅଭିଯୋଗ ହୋଇଥିଲା। ୧୫ ତାରିଖ ସକାଳୁ ଗ୍ରାମରଖିଙ୍କ ଦ୍ବାରା ତାଙ୍କୁ ଡକାଇଥିଲେ ଫାଣ୍ଡି ବାବୁ। ଆଉ ଆସିଲା ପରେ ମାଡ ଖାଇବାକୁ ପଡିଥିଲା ବ୍ୟକ୍ତି ଜଣଙ୍କୁ।
ସେପଟେ ଭିଡିଓ ଭାଇରାଲ୍ ହେବା ପରେ ବି ପୋଲିସ ଅଧିକାରୀ କହିଛନ୍ତି ସେ କିଛି କରିନାହାନ୍ତି । ତେବେ ଏହି ଘଟଣା ପରେ ପୋଲିସ ବିଭାଗ ଉପରେ ଅନେକ ପ୍ରଶ୍ନ ଉଠିଛି । ପୋଲିସର ଏଭଳି ଦାଦାଗିରି କେତେଦୂର ଠିକ ତାହା ମଧ୍ୟ ବିଚାର କରାଯାଉ ବୋଲି ଦାବି କରଯାଇଛି।