ଭିଡ଼ ଭିତରେ ଯୁବକଙ୍କୁ ନିର୍ଦ୍ଧୁମ ପିଟିଲେ ପୋଲିସ ବାବୁ । ଗାଲକୁ ଚାପୁଡ଼ା ଉପରେ ଚାପୁଡ଼ା ମାରିଲେ । ସୂଚନା ମୁତାବକ ଭଦ୍ରକ ଜିଲ୍ଳା ଚାନ୍ଦବାଲି ଅଞ୍ଚଳରେ ଏମିତି ଅଭାବନୀୟ ଘଟଣା ଘଟିଛି । କାଳୀପୂଜା ପାଇଁ ଚାନ୍ଦବାଲିରେ ଯାତ୍ରା ବା ଅପେରା ଲାଗିଛି । ଆଉ ଯାତ୍ରା ଦେଖିବା ପାଇଁ ଲୋକମାନେ ଟିକେଟ୍ କାଟିବା ଲାଗି ଏଠାକୁ ଧାଇଁ ଆସିଛନ୍ତି । ତେବେ ଜଣେ ଯୁବକ ବି ଯାତ୍ରା ପାଇଁ ଟିକେଟ କାଟିବାକୁ ଆସିଥିଲେ । କିନ୍ତୁ ସେ ଭାବି ନଥିଲେ ଯେ ତାଙ୍କ ଉପରେ ମାଡ଼ ବସିବ । ଚାନ୍ଦବାଲି ଥାନା ଅଧୀନ ଚାନ୍ଦବାଲିରେ ଘଟିଥିବା ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଯାତ୍ରା ଟିକେଟ କିଣିବା ପାଇଁ କାଉଣ୍ଟର ପାଖରେ ପ୍ରବଳ ଭିଡ଼ ହେବା ସହ ଠେଲାପେଲା ହୋହାଲ୍ଲା ହେଉଥିଲା । ତେବେ ଭିଡ଼ ନିୟନ୍ତ୍ରଣ କରିବାକୁ ଆସିଥିବା ପୋଲିସ ଜଣକ ରାଗି ଯାଇ ଯୁବକ ଜଣଙ୍କୁ ମାଡ଼ ମାରିଥିଲେ । ମାଡ଼ ମାରୁଥିବା ପୋଲିସ ହେଲେ ଚାନ୍ଦବାଲି ଥାନାର ଏ.ଏସ.ଆଇ ପ୍ରଭାକର ଜେନା । ଅନ୍ୟପଟେ ମାଡ଼ ଖାଇଥିବା ଯୁବକର ଘର ଚାନ୍ଦବାଲି ଏନଏସିରେ । ଯୁବକ ଜଣକ ସମସ୍ତଙ୍କ ଭଳି ଯାତ୍ରା ଟିକେଟ କିଣିବାକୁ ଯାଇଥିବା ବେଳେ ତାଙ୍କ ସହ ଏମିତି ଘଟିଛି ।
ପୋଲିସ ହେଉଛି ଆମ ରକ୍ଷକ । ଭିଡ଼ ନିୟନ୍ତ୍ରଣ କରିବା ପୋଲିସର କାମ । କିନ୍ତୁ ଏମିତି କାହାକୁ ମାଡ଼ ମାରି ଭିଡ଼ ନିୟନ୍ତ୍ରଣ କରିବା କେତେ ଦୂର ଠିକ୍ ଆପଣ ହିଁ ବିଚାର କରନ୍ତୁ ? ଯଦି ପୋଲିସ ହିଁ ଏମିତି ଆଚରଣ କରିବ ତେବେ ସାଧାରଣ ଲୋକମାନେ କେଉଁଠାକୁ ଯିବେ ? ହୁଏତ ଯୁବକ ଜଣକ କିଛି ବିଶୃଙ୍ଖଳା କରିଥିବେ । ତେବେ ସମସ୍ତଙ୍କ ସାମନାରେ ଏଭଳି ଭାବେ ତାଙ୍କୁ ମାଡ଼ ମାରିବା ଘଟଣାକୁ ସବୁଆଡ଼େ ନିନ୍ଦା କରାଯାଉଛି । ଆଉ ଏ ଭାଇରାଲ ଜମାନାରେ କେହି ଜଣେ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବା ପରେ ଏବେ ଚାରିଆଡ଼େ ହଇଚଇ ହେଉଛି । ପୋଲିସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।