କଠିନ ପରିଶ୍ରମ ଆଣିଦିଏ ସଫଳତା: ପୋଲିସ୍ କନେଷ୍ଟବଳରୁ ଓସିଏସ୍

ଯାଜପୁର ଟାଉନ(କେନ୍ଯୁଜ୍): ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଦୃଢ଼ ଇଚ୍ଛା ଶକ୍ତି ବଳରେ ବ୍ୟକ୍ତି ସଫଳତାର ଶୀର୍ଷରେ ପହଞ୍ଚିଥାଏ। ଏହି ବାକ୍ୟକୁ ସତ କରି ଦେଖାଇଛନ୍ତି ଜଣେ ପୋଲିସ୍ କନେଷ୍ଟବଳ।

ପୋଲିସ୍ କନେଷ୍ଟବଳରୁ ଓସିଏସ । ନିଜର କଠିନ ପରିଶ୍ରମ, ଦୃଢ ଇଚ୍ଛାଶକ୍ତି ବଳରେ ସଫଳତା ହାସଲ କରିଛନ୍ତି ଯାଜପୁର ଜିଲ୍ଲା କନ୍ତିଆ ଗାଁର ଆଶୁତୋଷ ମଲ୍ଲିକ। ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୦୯ ର‍୍ୟାଙ୍କ ଅକ୍ତିଆର କରିଛନ୍ତି। ଓସିଏସ୍‌ ପାଇବା ପାଇଁ ଅନେକ ସଂଘର୍ଷ କରିଛନ୍ତି ଅଶୋକ। ହେଲେ କେବେ ଲକ୍ଷ୍ୟ ବଦଳାଇନାହାନ୍ତି । ୨୦୦୮ରେ କନେଷ୍ଟବଳ ଭାବେ ନିଯୁକ୍ତି ପାଇ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟରତ ଥିଲେ। କନେଷ୍ଟବଳ ଚାକିରୀ ମଧ୍ୟରେ ପ୍ରଶାସନିକ ଅଧିକାରୀ ହେବାକୁ ଦୃଢ ସଂକଳ୍ପ ନେଇଥିଲେ। କର୍ମବ୍ୟସ୍ତତା ଭିତରେ ବି ଜାରି ରଖିଥିଲେ ସଂଘର୍ଷ । ଅଦମ୍ୟ ନିଷ୍ଠା, ଲକ୍ଷ୍ୟ ପ୍ରତି ଏକାଗ୍ରତା ତାଙ୍କ ସ୍ୱପ୍ନକୁ ସାକାର କରିଛି।।

ଚାକିରି କାର୍ଯ୍ୟକାଳରେ ବାରମ୍ବାର ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି। କିନ୍ତୁ ସେ ନିଜ ଲକ୍ଷ୍ୟରୁ ବିଚ୍ୟୁତ ହୋଇନଥିଲେ। ଓସିଏସ୍‌ ପାଇଁ କୌଣସି କୋଚିଂ ନେଉନଥିଲେ। ସାଙ୍ଗସାଥୀଙ୍କ ସହଯୋଗ ଓ ଅନଲାଇନ ମାଧ୍ୟମରେ ପାଠ ପଢି ସଫଳତା ପାଇଛନ୍ତି। ରେଜଲ୍ଟ ବାହାରିବା ପରେ ବରୀ ବିଧାୟିକା ସୁନନ୍ଦା ଦାସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଶୁତୋଷଙ୍କ ସଫଳତା ଗର୍ବର ବିଷୟ ବୋଲି କହିଛନ୍ତି ବିିଧାୟିକା।

କଠିନ ପରିଶ୍ରମ ଆଣିଦିଏ ସଫଳତା। ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଆଶୁତୋଷ। ଏହା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ପାଲଟିଛନ୍ତି। କଠିନ ପରିଶ୍ରମ ମଣିଷକୁ ସଫଳତାର ଶିଖରରେ ପହଞ୍ଚାଇ ଦେଇଥାଏ  ତାହା ସେ ପ୍ରମାଣ କରିଛନ୍ତି। ଗାଁରୁ ଯାଇ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ଅର୍ଜନ କରିବା ନିଶ୍ଚିତ ପକ୍ଷେ ଏକ ଗର୍ବ ଓ ଗୌରବର ବିଷୟ। ଏନେଇ ଆଶୁତୋଷଙ୍କ ନିକଟରୁ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ।

 ଯାଜପୁର ଟାଉନରୁ ଦେବାଶିଷ ସାହୁଙ୍କ ରିପୋର୍ଟ, କେନ୍ଯୁଜ୍ ଓଡିଶା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.