ପୋଲିସ କନେଷ୍ଟବଳଙ୍କୁ ଭୁଜାଲିରେ ଆକ୍ରମଣ କଲେ ଗୋରୁ ବେପାରୀ, ମୁହଁ ହାତ ଏବଂ ଜଙ୍ଘରେ ଲାଗିଛି ଗଭୀର ଆଘାତ

ଜଳେଶ୍ୱର(କେ ନ୍ୟୁଜ): ଗୋରୁ ବେପାରୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଧିତପୁରା ଗ୍ରାମରେ ଗତକାଲି ରାତିରେ ବେଆଇନ ଭାବରେ ଗୋରୁ ବୋଝେଇ ହୋଇଥିବା ଏକ ଟାଟା ଏସି ଗାଡିକୁ ସ୍ଥାନୀୟ ଲୋକେ ଅଟକ ରଖି ବସ୍ତା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅମର୍ଦାରୋଡ ଫାଣ୍ତି ପୋଲିସ କନେଷ୍ଟବଳ ପହଂଚି ଉକ୍ତ ଗାଡିକୁ ଜବତ କରି ବାଲେଶ୍ୱରରେ ଥିବା ଗୋଶାଳାକୁ ନେଇ ଯାଇଥିଲେ । ଗୋଶାଳାରେ ଗୋରୁ ଗୁଡିକୁ ଛାଡି ଅମର୍ଦ୍ଦା ଫେରୁଥିବା ସମୟରେ ଉକ୍ତ ଗୋରୁ ଗାଡିର ଡ୍ରାଇଭର ହଳଦିପଦା ଛକ ନିକଟରେ ଗାଡିରେ ବସିଥିବା ଅମର୍ଦାରୋଡ଼ର କନେଷ୍ଟବଳ ରମେଶ ଦାସଙ୍କୁ ଭୁଜାଲିରେ ଆକ୍ରମଣ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ସେ ଭୟଭୀତ ହୋଇ ଜୀବନ ବଞ୍ଚାଇବା ପାଇଁ ଗାଡିରୁ ତଳକୁ ଡେଇଁ ପଡ଼ିଥିଲେ ।

ଏହାପରେ ବସ୍ତା ପୋଲିସକୁ ସେ ଫୋନ ଯୋଗେ ଜଣାଇବା ପରେ ବସ୍ତା ପୋଲିସ ହଳଦୀପଦାରେ ପହଞ୍ଚି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଛନ୍ତି । ରମେଶଙ୍କ ମୁହଁ ହାତ ଏବଂ ଜଙ୍ଘରେ ଗଭୀର ଆଘାତ ଲାଗିଛି । ତେବେ ରମେଶ ଗାଡିରୁ ପଡିବା ପରେ ଗାଡିର ଡ୍ରାଇଭର ଗାଡି ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ଜଣାଯାଇଛି । ପ୍ରଶ୍ନ ଉଠୁଛି ପୋଲିସ ରାତି ଅଧିଆ ଗାଡି ଜବତ କରିବା ପରେ କାହିଁକି ତରବରିଆ ଭାବେ ଗୋଶାଳାକୁ ଗୋରୁ ବୋଝେଇ ଟାଟା ଏସି ପଠାଯାଇଥିଲା । ଗାଡି ଗୋଶାଳାକୁ ଯାଉଥିଲା ନା ଗାଡିକୁ ଖସେଇଦେବା ପାଇଁ ପୋଲିସ ଉଦ୍ୟମ କରୁଥିଲା । ଯାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.