ପୋଲିସର ଦାଦାଗିରି : ଜଳଖିଆ ଦୋକାନ ଭିତରେ ପଶି ତତଲା ତେଲ କଡେଇକୁ ମାରିଲେ ଶକ୍ତ ପାହାର, ଗରମ ତେଲ ଛିଟିକି ଦୋକାନୀ ଆହତ

ସୁବର୍ଣ୍ଣପୁର : କରୋନା କଟକଣା ନାଁରେ ପୋଲିସର ଦବଙ୍ଗଗିରି। ପୋଲିସର ଦବଙ୍ଗଗିରି ପାଇଁ ଦୋକାନୀ ଦେହରେ ପଡ଼ିଲା ତତଲା ତେଲ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗତକାଲି ସଂଧ୍ୟା ପ୍ରାୟ ସାଢେ ସାତଟା ବେଳେ ବୀରମହାରାଜପୁର ପୋଲିସ ପିସିଆର ଭ୍ୟାନ ଯାଇଥିବା ବେଳେ ସାମ୍ବାଦିକ ଭବନ ଠାରେ ଏକ ଜଳଖିଆ ଦୋକାନରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଥାନା ଏସଆଇ ବିଜୟ ବାରିକ ତତଲା ତେଲ କଡ଼େଇକୁ ଏକ ପାହାର ମାରିଥିଲେ।

ଫଳରେ ତତଲା ତେଲ ଦୋକାନୀ ସୁଦାମ ବିଶ୍ୱାଳଙ୍କ ଦେହରେ ପଡ଼ିଥିଲା। ସେଠାରେ ଜଳଖିଆ ଖାଉଥିବା ଯିଏ ଯୁଆଡ଼େ ଦୌଡ଼ିଥିଲେ। ସୁଦାମ ଗୁରୁତର ହେବା ପରେ ପୋଲିସ ମଧ୍ୟ ସେଠାରୁ ଫେରାର ହୋଇଯାଇଥିଲା। କିଛି ସ୍ୱେଚ୍ଛାସେବୀ ସୁଦାମଙ୍କୁ ବୀରମହାରାଜପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୋଲିସର ଏଭଳି ବ୍ୟବହାରକୁ ନିନ୍ଦା କରାଯାଇଛି। ଘଟଣାର ତଦନ୍ତ ହେବ ବୋଲି ଜିଲ୍ଲା ଏସପି କହିଛନ୍ତି।

Leave A Reply

Your email address will not be published.