ମଦ କାରବାରକୁ ବିରୋଧ କରି ମହିଳାଙ୍କୁ କରାଯାଇଥିଲା ହତ୍ୟା, ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଯାଜପୁର ଟାଉନ(କେ ନ୍ୟୁଜ):  ଯାଜପୁର ଜିଲା ମଂଗଳପୁର ଥାନା ଅନ୍ତର୍ଗତ ମଂଗଳପୁର ଥାନା ବିିରିପଟା ବରେଇ ଗାଁର ମଦ କାରବାରକୁ ବିରୋଧ କରିବାରୁ ମହିଳାଙ୍କୁ ହତ୍ୟା ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଯାଜପୁର ଜିଲା ମଂଗଳପୁର ଥାନା ବିିରିପଟା ବରେଇ ଗାଁର ବିଜୟ ଜେନା ଦୀର୍ଘଦିନ ହେଲା କରିଆସୁଥିବା ବେଆଇନ ମଦ କାରବାରକୁ ଗ୍ରାମବାସୀମାନେ ବିରୋଧ କରିଆସୁଥିଲେ । ଏଥିରେ ବିଜୟ ଉତକ୍ଷିପ୍ତ ହୋଇ ତାର ପଡ଼ୋଶୀ ମହେଶ୍ଵର ଜେନାଙ୍କ ପରିବାର ଲୋକଙ୍କୁ ଗତ ରବିବାର ଦିନ ମାରପିଟ କରିଥିଲା । ଏପରିକି ସେ ମହେଶ୍ଵରଙ୍କ ପତ୍ନୀ ଲକ୍ଷ୍ମୀ ଜେନାଙ୍କ ମୁଣ୍ଡକୁ ଏକ ଇଟାରେ ଛେଚି ଦେଇଥିଲା । ଫଳରେ ସେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଯାଜପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । କଟକରେ ତାଙ୍କର ଚିକିତ୍ସା ଚାଲିଥିବାବେଳେ ବିଳମ୍ବିତ ରାତ୍ରିରେ ତାର ମୃତ୍ୟୁ ହୋଇଯାଇଥିଲା ।

ଏ ନେଇ ଲକ୍ଷ୍ମୀର ସ୍ବାମୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ବିଜୟ ଜେନାଙ୍କ ସମେତ ତାର ପତ୍ନୀ, ଭାଇ ଓ ବାପାକୁ କାଲି ରାତିରେ ଗିରଫ କରିଥିଲେ । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଏଯାବତ ଗିରଫ କରିପାରିନାହିଁ । ତେବେ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଡ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୃତ ଲକ୍ଷ୍ମୀଙ୍କ ସ୍ବାମୀ ଦାବି କରିଛନ୍ତି । ଅନ୍ୟପଟେ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୪ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସ୍ପି ସୂଚନା ଦେଇଛନ୍ତି ।

Leave A Reply

Your email address will not be published.