ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ପୋଲିସ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ମେଡାଲ ପ୍ରଦାନ

କେନ୍ୟୁଜ୍(ବ୍ୟୁରୋ):  ସେବାରେ ଉତ୍କୃଷ୍ଟତା ଏବଂ ସାହସିକତା ପାଇଁ ପୋଲିସ କର୍ମଚାରୀଙ୍କୁ ମେଡାଲ ପ୍ରଦାନ କରାଯାଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏହି ପୋଲିସ ପଦକ ପ୍ରଦାନ ଉତ୍ସବ ଆୟୋଜିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପଦକ ପ୍ରଦାନ କରିଛନ୍ତି । ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ କରାଯାଇଛି ।

ମାଲକାନଗିରି ଅଞ୍ଚଳର ମାଓ ଅପରେସନ ସମୟରେ ସାମିଲ ଥିଲେ ଏସପି ହ୍ରିଶିକେଶ ଖିଲାରି । ଏହି ଟିମ୍‌ର ସଫଳତା ପାଇଁ ପୁରା ଟିମ୍‌କୁ ମିଳିଛି ରାଷ୍ଟ୍ରପତି ପୁରସ୍କାର । ଏହି ଟିମ୍‌ରେ ଥିଲେ ଏସଓଜି କମାଣ୍ଡୋ ଓ.ଏନ ବେହେରା । ଏସପିଙ୍କ ନିର୍ଦ୍ଦେଶ କ୍ରମେ ଅପରେସନ ସଫଳ ହୋଇଥିଲା । ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ ଜଣଙ୍କୁ ପଦକ ପ୍ରଦାନ କରାଯାଇଛି । ସାହସିକତା ପାଇଁ ୯ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯାଇଛି । ମାଲକାନଗିରି ଓଏପିଏଫର ସ୍ୱର୍ଗତ ଜୟରାମ କବାସୀ, ମୟୂରଭଞ୍ଜ ଏସପି ରିଷିକେଶ ଡି. ଖିଲାରୀ, ମାଲକାନଗିରି ଓଏପିଏଫର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଭୁବନେଶ୍ୱର ଚନ୍ଦକା ଏସଓଜି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ୱକର୍ମା, ଏସଓଜି କମାଣ୍ଡୋ ଜୀବନ ସହାଇ ଏବଂ ଔଷଧିନାଥ ବେହେରାଙ୍କୁ ପଦକ ପ୍ରଦାନ କରାଯାଇଛି ।

ସେହିପରି କମିଶନରେଟ ପୋଲିସର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଏବଂ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇଛନ୍ତି । ଏଥିସହ ଭିଜିଲାନ୍‌ସ ନିର୍ଦ୍ଦେଶାଳୟର ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକ ଡିଏସପି କମଳ ଲୋଚନ ଭୂୟାଁ, ଭିଜିଲାନ୍‌ସ ନିର୍ଦ୍ଦେଶାଳୟର ଡିଏସପି ସୁଜାତା ଖଣ୍ଡୁଆଳ, ସ୍ପେଶାଲବ୍ରାଞ୍ଜ ଡିଏସପି ରଘୁନାଥ ପ୍ରସାଦ ନାୟକ, କମିଶନରେଟ ଏସିପି ଅରୁଣ କୁମାର ସ୍ୱାଇଁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା, ସମ୍ବଲପୁର ଏସଆଇ ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ପଓ୍ଵଲ ଦୟାଲ ବା, ଗଞ୍ଜାମର ଡିଏସପି ଅଜୟ କୁମାର ମିଶ୍ର, ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ ପଦକ ପ୍ରଦାନ କରାଯାଇଛି । ପଦକ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆରଟିପିସିଆର ପରୀକ୍ଷା ରିପୋର୍ଟ ସହ ଏନ-୯୫ ମାସ୍କ ବାଧ୍ୟତାମୂଳକ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.