କନେଷ୍ଟବଳ ଚାକିରି କରାଇଦେବେ କହି ୬ ଲକ୍ଷ ଠକି ନେଲେ ପୋଲିସ କର୍ମଚାରୀ

ଚାକିରି କରାଇବା ନାଁରେ ଠକେଇ । ଗରିବ ମହିଳାଙ୍କୁ ଠକିଲେ ପୋଲିସ ବାବୁ । ଚାକିରି ନାଁରେ ନେଇଗଲେ ୬ ଲକ୍ଷ । କନେଷ୍ଟବଳ ପଦବୀରେ ଭର୍ତ୍ତି କରେଇଦେବା ନେଇ ପ୍ରଥମେ ଲୋଭ ଦେଖାଇଲେ । ପରେ ମହିଳାଙ୍କୁ ଠାରୁ ଟଙ୍କା ନେଇ ଧରା ଛୁଆଁ ଦେଲେନି ପୋଲିସ କର୍ମଚାରୀ ।
କନେଷ୍ଟବଳ ଚାକିରି କରାଇବା ନାମରେ ଜଣେ ପୋଲିସ କର୍ମଚାରୀ ୬ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ କରିଛନ୍ତି ମହିଳା । ମାଲକାନଗିରି ଜିଲ୍ଲା ପୋଲିସ ବିଭାଗରେ କନେଷ୍ଟବଳ ଚାକିରି କରେଇଦେବା କଥା କହି ଜଣେ ଗରିବ ମହିଳାଙ୍କ ଠାରୁ ସାଢେ ଛଅ ଲକ୍ଷ ଟଙ୍କା ହଡପ କରିନେଇଛନ୍ତି ଜଣେ ପୋଲିସ କର୍ମଚାରୀ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ମାଲକାନଗିରି ଜିଲ୍ଲାରେ ଘଟିଛି ।
ଅଭିଯୋଗ ଅନୁଯାୟୀ ଦୁଇ ବର୍ଷ ପୂର୍ବେ ମାଲକାନଗିରି ସହରର କୁଞ୍ଜଲତା ମହାରଣାଙ୍କ ପୁଅକୁ ପୋଲିସ ବିଭାଗରେ ଚାକିରି କରେଇ ଦେବା କଥା କହି ମାଲକାନଗିରି ପୋଲିସ ବିଭାଗର କାର୍ଯ୍ୟରତ ସୁନିଲ ଚୋପାଡି ନାମକ ଜଣେ କର୍ମଚାରୀ ଓ ତାଙ୍କ ପତ୍ନୀ ପ୍ରଲୋଭିତ କରିଥିଲେ । ବାରମ୍ବାର କୁଞ୍ଜଲତାଙ୍କ ଘରକୁ ଯାଇ ଉଭୟ ସ୍ବାମୀ ସ୍ତ୍ରୀ ପ୍ରଲୋଭନ ଦେଖାଇବାରୁ ଶେଷରେ କୁଞ୍ଜଲତା ସେମାନଙ୍କ ଉପରେ ବିଶ୍ବାସ କରିଥିଲେ । ପୁଅର ଭବିଷ୍ୟତକୁ ଆଖି ଆଗରେ ରଖି ସୁଧରେ ଟଙ୍କା ଆଣି ସେମାନଙ୍କୁ ସାଢେ ଛଅ ଲକ୍ଷ ଟଙ୍କା ନଗଦ ଆକାରରେ ଦେଇଥିଲେ । ହେଲେ ଟଙ୍କା ଦେବା ପରେ ବି ପୁଅର ଚାକିରି ହୋଇନଥିଲା ।
ଆଜି କାଲି କହି କହି ପ୍ରାୟ ଦୁଇ ବର୍ଷ ବିତି ଯାଇଥିଲେ ବି ଚାକିରି ହେଲାନି । ତେଣୁ କୁଞ୍ଜଲତା ନିଜ ଟଙ୍କା ଫେରସ୍ତ ମାଗିଲେ । କିନ୍ତୁ ପୋଲିସ ବାବୁ ଟଙ୍କା ଫେରେଇବ କଣ ତାଙ୍କୁ ଓଲଟା ଧମକ ଦେଇଥିଲେ । ଫଳରେ ନିରାଶ ହୋଇ କୌଣସି ଉପାୟ ନପାଇ ଶେଷରେ କୁଞ୍ଜଲତା ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଥିଲେ । ଯେଉଁଠାରେ ସୁନୀଲ କୁଞ୍ଜଲତାଙ୍କ ଠାରୁ ନେଇଥିବା ଟଙ୍କାକୁ କିସ୍ତି ଆକାରରେ ଫେରାଇ ଦେବା କଥା କହିଥିଲେ ଏବଂ ସମୟ ମାଗିଥିଲେ । କିନ୍ତୁ ଏହା ପରେ ବି ସୁନୀଲ କୌଣସି ଅର୍ଥ ଫେରେଇଲେ ନାହିଁ । ତେଣୁ କୁଞ୍ଜଲତା ଏନେଇ ଆଇନ ସେବା ପ୍ରାଧିକରଣକୁ ଜଣାଇବା ପରେ ମାଲକାନଗିରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ କରିବା ସହ ମାଲକାନଗିରି ଏସପିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି । ତେବେ ଏନେଇ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମାଲକାନଗିରି ଏସପି କୁଞ୍ଜଲତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି । ଅନ୍ୟପଟେ ସୁନୀଲଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନି ।