ଏ କି ଅଭାଦ୍ରାମୀ ? ପୌର ଅଧିକାରୀଙ୍କୁ ଦୁର୍ବ୍ୟବହାର କଲେ ପୋଲିସ କର୍ମଚାରୀ, ଧକ୍କା ମାରି ଚିରି ଦେଲେ ସାର୍ଟ

ପୁରୀ : ପୁରୀ ବଡଶଙ୍ଖ ଛକ ଠାରେ ଅତିରିକ୍ତ ପୌର ଅଧିକାରୀଙ୍କୁ ଧକ୍କାମାରି ସାର୍ଟ ଚିରି ଦେଲେ ପୋଲିସ କର୍ମଚାରୀ । ଏହାର ପ୍ରତିବାଦରେ ପୌର କର୍ମଚାରୀ ହୋହଲ୍ଲା କରିଛନ୍ତି । ଗତକାଲି ରାତିରେ ବଡ଼ଶଙ୍ଖ ଛକଠାରେ ଅତିରିକ୍ତ ପୌର ଅଧିକାର ବିଶ୍ୱରଂଜନ ପ୍ରଧାନଙ୍କୁ ଦୁର୍ବ୍ୟବହାର କରିଛନ୍ତି ପୋଲିସ କର୍ମଚାରୀ ।
ବିଶ୍ବରଂଜନ ପ୍ରଧାନ ବାଇକ ନେଇ ଶ୍ରୀଗୁଣ୍ଡିଚା ମନ୍ଦିର ଆଡକୁ ଯାଉଥିବା ବେଳେ ବଡ଼ଶଙ୍ଖ ଛକଠାରେ ପୋଲିସ ଅଟକାଇ ଥିଲେ । ରଥଯାତ୍ରା ଭିଡ଼ ଯୋଗୁଁ ଗୁଣ୍ଡିଚା ମନ୍ଦିର ପଟକୁ କେବଳ ପାସଧାରୀ ବ୍ୟକ୍ତିଙ୍କୁ ଛଡା ଯାଉଥିଲା । ବିଶ୍ବରଂଜନ ତାଙ୍କର ପାସ ଦେଖାଇ ଥିଲେ ମଧ୍ୟ କାର୍ଯ୍ୟରତ ପୋଲିସ କର୍ମଚାରୀମାନେ ତାଙ୍କୁ ଛାଡି ନଥିଲେ । ପରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପୋଲିସ କର୍ମଚାରୀ ତାଙ୍କୁ ଟଣାଓଟରା କରି ଧକ୍କା ମାରି ତାଙ୍କର ସାର୍ଟ ଚିରି ଦେଇଥିବା ଅଭିଯୋଗ ହୋଇଛି ।
ଖବର ପାଇ ବହୁ ସଂଖ୍ୟାରେ ପୌର କର୍ମଚାରୀମାନେ ପହଞ୍ଚି ହୋହଲ୍ଲା କରିବା ସହ ପାଣି ଓ ଲାଇଟ ବନ୍ଦ ପାଇଁ ଧମକ ଦେଇଥିଲେ । ଉପଜିଲ୍ଲାପାଳ, ଅତିରିକ୍ତ ଏସପି ସୁଶୀଲ ମିଶ୍ର, ବିଷ୍ଣୁ ପ୍ରସାଦ ପତି ଓ ଅନ୍ୟ ପୁଲିସ ଅଧିକାରୀମାନେ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରେ ଏସପି ପିନାକ ମିଶ୍ର ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ପହଂଚିଥିଲେ । ପୋଲିସ କର୍ମଚାରୀ ସର୍ବସାଧାରଣରେ ଅତିରିକ୍ତ ପୌର ଅଧିକାରୀଙ୍କୁ ଭୁଲ ମାଗିବା ପାଇଁ ପୌର କର୍ମଚାରୀମାନେ ଅଡ଼ି ବସିଥିଲେ ।