ଦୁର୍ଗା ପୂଜାକୁ ନେଇ ପୋଲିସର ପ୍ରସ୍ତୁତି, କଟକ ସହରରେ ଜଗିବେ ୫୫ ପ୍ଲାଟୁନ୍‌ ଫୋର୍ସ

କଟକ (କେନ୍ୟୁଜ): ଦୁର୍ଗା ପୂଜା ସମୟରେ କଟକ ସହରରେ ନିୟୋଜିତ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ଜନ ସାଧାରଣ କିଭଳି ସୁରୁଖୁରୁରେ ପୂଜା ବୁଲିବେ ତାକୁ ଗୁରୁତ୍ୱ ଦିଆଯାଇଛି । ୬ ଜଣ ଅତିରିକ୍ତ ଡିସିପି, ୪୦ ଜଣ ଡିଏସପି ର‍୍ୟାଙ୍କର ଅଫିସର, ୫୫ ଜଣ ଇନ୍ସପେକ୍ଟର, ୩ ଶହ ସବଇନ୍ସପେକ୍ଟର, ୬ ଶହ ହୋମଗାର୍ଡ, ୭ ଶହରୁ ଉର୍ଦ୍ଧ୍ୱ ପୋଲିସ ଭଲ୍ୟୁଣ୍ଟିଅର ନିୟୋଜିତ ହେବେ । ଟ୍ରାଫିକ ସମସ୍ୟାକୁ ଦୃଷ୍ଟିରେ ରଖି ସହରକୁ ୮ଟି ଭାଗରେ ବିଭକ୍ତ କରାଯାଇଛି। ପ୍ରତିଟି ବିଭାଗରେ ଦାୟିତ୍ୱ ଜଣେ ଜଣେ ଅଧିକାରୀଙ୍କୁ ଦିଆଯାଇଛି। ଟ୍ରାଫିକ ଭିଡ଼ ହେବା ଭଳି ପରିସ୍ଥିତି ସୃଷ୍ଟି ହେବାକୁ ଦିଆଯିବ ନାହିଁ ।

ମୋବାଇଲ ପାଟ୍ରୋଲିଂ ଉପରେ ଗୁରୁତ୍ୱ ଦିଆଯାଇଛି। ୨୦ଟି ପିସିଆର,୪୦ଟି ବାଇକ୍‌ ପିସିଆର, ୩ଟି ସ୍ପେଶାଲ ମୋବାଇଲ ୟୁନିଟ୍‌ ପାଟ୍ରୋଲିଂ କରିବେ । ମଦ୍ୟପଙ୍କ ଉପରେ ରହିବ ବିଶେଷ ନଜର । ଆଣ୍ଟି ଟେରରିଷ୍ଟ ସ୍କ୍ଵାଡ଼, ମୋବାଇଲ ଲିକର ସ୍କ୍ଵାଡ଼, କୁଇକ ରେସପନ୍ସ ଟିମ, ଷ୍ଟ୍ରାଇକିଂ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହେବେ। ଏହାସହ କିଛି ସ୍ଥାନରେ ଛାତ ଉପରେ ବନ୍ଧୁକଧାରୀ ପୋଲିସ ମୁତୟନ ହେବେ । ରାତି ୧୨ଟା ଯାଏ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦିଆଯାଇଛି। ଭସାଣିରେ ମଧ୍ୟ ରାତି ୧୨ଟା ପର୍ଯ୍ୟନ୍ତ ମାଇକ୍‌ ବାଜି ପାରିବ । ୧୨ଟା ପରେ ପାରମ୍ପରିକ ବାଦ୍ୟଯନ୍ତ୍ର ବାଜିବ ବୋଲି ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.