ଦୀପାବଳି ପୂର୍ବରୁ ବାଣ ଗୋଦାମରେ ରେଡ୍, ବିନା ଲାଇସେନ୍ସରେ ଚାଲିଥିଲା ବେପାର

ନବରଙ୍ଗପୁର: ବିନା ଲାଇସେନ୍ସରେ ଚାଲିଥିଲା ବାଣ ବେପାର, ମାଡିବସିଲା ପୋଲିସ । ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ l ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଅଞ୍ଚଳରେ ପୋଲିସ ଚଢାଉ କରି ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ କରିଛି । ଆଗକୁ ଦୀପାବଳି ଆସୁଥିବାରୁ ସୁରଜ କିଷାନ ନାମକ ଜଣେ ବ୍ୟକ୍ତି ବିନା ଲାଇସେନ୍ସରେ ନିଜ ଗୋଦାମରେ ବାଣ ରଖି ବିକ୍ରି କରୁଥିଲେ। ରକେଟ, ଝୁରୁଝୁରି, ମରିଚ ବାଣ,ସୁତା ବାଣ, ଟାଇଗର ବମ୍ବ ଭଳି ଅନେକ ବାଣ ଜବତ ହୋଇଛି l ପୋଲିସ ବାଣ ଜବତ କରିବା ସହ ବ୍ୟବସାୟୀ ସୁରଜ କିଷାନଙ୍କ ନାଁରେ ଖାତିଗୁଡ଼ା ଥାନାରେ ଏକ ମାମଲା ଦାୟର କରିଛି।
ସେହିଭଳି ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ଥାନା ଅଞ୍ଚଳରେ ବିନା ଲାଇସେନ୍ସରେ ରଖାଯାଇଥିବା ବାଣକୁ ସ୍ବତନ୍ତ୍ର ପୋଲିସ ସ୍କ୍ବାର୍ଡ ଜବତ କରିଛି। ଏସ୍ଡିପିଓ କୃଷ୍ଣଚନ୍ଦ୍ର ଭତରାଙ୍କ ନେତୃତ୍ୱରେ ଗୁରୁବାର ରାତିରେ ଚଢ଼ାଉ କରାଯାଇଥିଲା। ଗୋଦାମରୁ ପ୍ରାୟ ୪ଲକ୍ଷ ୨୦ହଜାର ଟଙ୍କାର ବାଣ ଜବତ କରାଯାଇଛି। କେଶ୍ ନମ୍ବର ୧୫୪/୨୪ରେ ମାମଲା ରୁଜୁ ହୋଇଛି। ଗୋଦାମ ମାଲିକ ବିକ୍ରି ପାଇଁ ଲାଇସେନ୍ସ ଆବେଦନ କରିଥିବା ଯୋଗୁ କାହାରିକୁ ଗିରଫ କରାଯାଇ ନ ଥିବା ଜଣା ପଡ଼ିଛି।