ଶାଶୁ ଓ ଦୁଇ ବୋହୂଙ୍କୁ ଆକ୍ରମଣ ଘଟଣା, ସିନ୍ ରିକ୍ରିଏସନ କଲା ପୋଲିସ

ଭଦ୍ରକ: ଘରେ କେହି ପୁରୁଷ ଲୋକ ନଥିଲେ । ଆଉ ପୁରୁଷ ଲୋକଙ୍କ ଅନୁପସ୍ଥିତର ସୁଯୋଗ ନେଇ ମହିଳାମାନଙ୍କୁ ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ । ଘରର ଶାଶୁ ଏବଂ ଦୁଇ ବୋହୂଙ୍କୁ ଆକ୍ରମଣ କରି ଥିଲେ । ଅତର୍କିତ ଆକ୍ରମଣରେ ବଡ଼ ବୋହୂ ଝୁନା ରାଣୀଙ୍କର ଜୀବନ ଚାଲିଯାଇଥିଲା । ନିମିଷକରେ ଏମିତି କାଣ୍ଡ ଘଟିଯିବ କେହି କେବେ ସ୍ବପ୍ନରେ ବି ସୁଦ୍ଧା ଭାବି ନଥିଲେ । ସନ୍ଧ୍ୟାବେଳେ ହଠାତ ଘରକୁ ପଶି ଆସିଥିଲେ ଦୁର୍ବୃତ୍ତ ଆଉ ଶାଶୁ ଓ ଦୁଇ ବୋହୂଙ୍କୁ ଆକ୍ରମଣ କରି ଫେରାର ହୋଇ ଯାଇଥିବା ଘଟଣା ସମଗ୍ର ଭଦ୍ରକ ଜିଲ୍ଲାରେ ଚହଳ ସୃଷ୍ଟି କରିଥିଲା ।

ଏହି ଘଟଣା ଗତ ୨୫ ତାରିଖ ସନ୍ଧ୍ୟା ବେଳେ ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଦେଓ ପଦା ଗାଁ ରେ ଘଟିଥିବା ବେଳେ ପୋଲିସ ଏ ପର୍ଯ୍ୟନ୍ତ କୌଣସି ଜଣେ ବି ଆସାମୀଙ୍କୁ ଗିରଫ କରି କୋର୍ଟ ଫରୱାର୍ଡ଼ କରି ପାରି ନ ଥିବାରୁ ଆକ୍ରମଣର ଶିକାର ହୋଇଥିବା ଲୋକ ଏବଂ ଗ୍ରାମବାସୀ ମାନେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରି ଆଜି ସେମାନେ ମଧ୍ୟାହ୍ନ ସମୟ ରେ ଭଦ୍ରକ ଆସି ଏସପିଙ୍କୁ ଭେଟି ନିଜର ଅସନ୍ତୋଷ ବ୍ୟକ୍ତ କରିବା ସହିତ ନ୍ୟାୟ ଦାବି କରିଥିଲେ ।

ଫଳରେ ଭଦ୍ରକ ଏସପି ଏ ସମ୍ପର୍କରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ତଦନ୍ତ ପକ୍ରିୟାକୁ ଅଗ୍ରଗତି କରିବାକୁ ଭଣ୍ଡାରିପୋଖରୀ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ପୋଲିସ ପ୍ରଥମେ ୪ଜଣଙ୍କୁ ସନ୍ଦେହରେ ଅଟକ ରଖି ଜଣ ପରେ ଜଣେଙ୍କୁ ଛାଡି ମୂଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖିଥିଲେ ମଧ୍ୟ ହତ୍ୟାରେ ବ୍ୟବହୃତ ଅସ୍ତ୍ରକୁ ଜବତ କରି ନ ଥିବା ସେମାନେ ଏସପିଙ୍କୁ ଜଣାଇଥିଲେ । ତେଣୁ ଏସପି ଙ୍କ ନିର୍ଦ୍ଦେଶରେ ଆଜି ଅପରାହ୍ନ ରେ ଭଣ୍ଡାରିପୋଖରୀ ପୋଲିସ ହତ୍ୟା ଓ ଆକ୍ରମଣ ମାମଲାରେ ଥାନା ରେ ୪ ଦିନ ହେବ ଅଟକ ଥିବା ମୁଖ୍ୟ ଅଭିଯୁକ୍ତ ଜଡ଼ାଙ୍କୁ ନେଇ ମର୍ଡରର ସିନ ରିକ୍ରିଏସନ କରିଛି । ମୋରଡା ଛକ ଠାରେ ସିନ ରିକ୍ରିଏସନ କରାଯିବା ସହିତ ହତ୍ୟାକାଣ୍ଡ ବେଳେ ବ୍ୟବହୃତ ଛୁରୀ କୁ ମଧ୍ୟ ଜବତ କରିଛି ପୋଲିସ। ତେବେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ନ ଥିବାରୁ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ସହିତ ଆହତ ଶାଶୁ ଓ ବୋହୂ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରାଯାଉଥିବା ଅତିରିକ୍ତ ଏସପି କହିବା ସହିତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ନିଶ୍ଚୟ ଗିରଫ କରାଯିବ ବୋଲି କହିଛନ୍ତି ।