ନୂଆପଡ଼ାର ଅପହୃତ ଶିଶୁକୁ ୧୨ ଦିନ ପରେ ଉଦ୍ଧାର କଲା ପୋଲିସ

ନୂଆପଡା : ପୁଅକୁ ଧରି ପ୍ରେମିକ ସହ ଫେରାର ହୋଇଯାଇଥିଲେ ।  ୧୨ ଦିନରେ ୫ ବର୍ଷର ଶିଶୁକୁ ଉଦ୍ଧାର କଲା ପୋଲିସ ।  ଏହା ସହ ମହିଳା ଏବଂ ତାଙ୍କ ପ୍ରେମିକକୁ ଗିରଫ କରିଛି ।  ନୂଆପଡା କୋମନା ଥାନା ଲୋହଣ୍ଡୋପାଲି ଗାଁର ଅପହୃତ ହୋଇଥିବା ୫ ବର୍ଷର ପୁଅକୁ ହାଇଦ୍ରାବାଦ ରାମୋଜୀ ଫିଲ୍ମସିଟି ନିକଟରୁ ଉଦ୍ଧାର କଲା କୋମନା ପୋଲିସ । ଗିରଫ ଦୁଇ ଜଣ ହେଲେ ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମଣ୍ଡଲା ଗାଁର ପଦ୍ମିନୀ ମାଝୀ ଏବଂ ଲଖନା ଗାଁର ଦୁର୍ୟୋଧନ ବରିହା । ଗତ ସେପ୍ଟେମ୍ବର ୨୯ରେ ପଦ୍ମିନୀ ମାଝୀ ନିଜ ପ୍ରେମିକ ଦୁର୍ଯ୍ୟୋଧନ ବରିହାଙ୍କ ସହ ୫ ବର୍ଷର ଶିଶୁକୁ ନେଇ ଫେରାର ହୋଇଯାଇଥିଲେ ।

ଏନେଇ ଶିଶୁର ବାପା ଅର୍ଜୁନ ବେମାଲ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ହେବାପରେ ନୂଆପଡା ଏସପିଙ୍କ ନିର୍ଦ୍ଦେଶ କ୍ରମେ କୋମନା ଥାନାର ଏକ ପୋଲିସ ଟିମ ଅଭିଯୁକ୍ତ ମହିଳା ପଦ୍ମିନୀଙ୍କ ମୋବାଇଲ ଫୋନକୁ ଟ୍ରାକ କରି ହାଇଦ୍ରାବାଦକୁ ଯାଇଥିଲା । ସେଠାରେ ରାଜକୋଣ୍ଡା ପୋଲିସର ସହାୟତାରେ ରାମୋଜୀ ଫିଲ୍ମସିଟି ନିକଟରୁ ଅପହୃତ ୫ ବର୍ଷର ଶିଶୁକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହା ସହ ଅଭିଯୁକ୍ତ ପଦ୍ମିନୀ ଓ ତାର ପ୍ରେମିକ ଦୁର୍ୟୋଧନ ବରିହାକୁ ମଧ୍ୟ ପୋଲିସ ଗିରଫ କରିଛି । ଆଜି ପୋଲିସ ଟିମ କୋମନା ଥାନାରେ ପହଞ୍ଚିଵା ପରେ ଅପହୃତ ୫ବର୍ଷର ଶିଶୁକୁ ତାଙ୍କ ପରିବାର ଲୋକଙ୍କୁ ପୋଲିସ ହସ୍ତାନ୍ତର କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like