ପୁରୀ : ଚଳିତ ବର୍ଷ ରଥଯାତ୍ରା ପୋଲିସ ପାଇଁବଡ଼ ଆହ୍ବାନ ରହିଛି । ରଥଯାତ୍ରା ପାଇଁ ପୋଲିସ ବିଭାଗ ପକ୍ଷରୁ ବଡ ବ୍ୟବସ୍ଥା ଗ୍ରହଣ କରାଯାଇଛି । ରଥଯାତ୍ରାରେ ସମ୍ପୂର୍ଣ୍ଣ ଶ୍ରୀକ୍ଷେତ୍ର ବ୍ଲାଙ୍କେଟ ସିକ୍ୟୁରିଟି ମଧ୍ୟରେ ରହିବ । ରଥଯାତ୍ରା ଦିନ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ସହ ରାଷ୍ଟ୍ରପତିଙ୍କ ଗସ୍ତ ଥିବାରୁ ଶ୍ରୀକ୍ଷେତ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସୋମବାର ପୁରୀ ଗସ୍ତରେ ଆସି ସମୀକ୍ଷା ବୈଠକ ପରେ ସୂଚନା ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ।
ଅନ୍ୟପଟେ ଚଳିତବର୍ଷ ରାଷ୍ଟ୍ରପତି ପୁରୀକୁ ଆସି ରଥଯାତ୍ରା ଦେଖିବେ। ଏତଦ୍ବ୍ୟତୀତ ଅନେକ ଭିଆଇପି ମଧ୍ୟ ଏଠାକୁ ଆସିବାର କାର୍ଯ୍ୟକ୍ରମ ରହିଛି। ତେଣୁ ଚାରିଜଣ ଅତିରିକ୍ତ ଡିଜିଙ୍କ ନେତୃତ୍ବରେ ୬ ଜଣ ଆଇଜି ଓ ଡିଆଇଜି ରାଙ୍କର ଅଫିସର, ୧୯ ଜଣ ଏସ୍ପି ରାଙ୍କର ଅଫିସର, ୩୩ ଜଣ ଅତିରିକ୍ତ ଏସ୍ପି, ୭୫ ଜଣ ଡିଏସ୍ପି, ୧୩୦ ଜଣ ଇନ୍ସ୍ପେକ୍ଟର ଏବଂ ୬୭୫ ଜଣ ସବ୍ଇନ୍ସ୍ପେକ୍ଟର ଓ ଏଏସ୍ଆଇ ନିୟୋଜିତ ରହିବେ। ଏତଦ୍ବ୍ୟତୀତ ୩ ପ୍ଲାଟୁନ୍ ସ୍ପେଶାଲ ଷ୍ଟ୍ରାଇକିଂ ୟୁନିଟ୍ ଓ କେନ୍ଦ୍ରରୁ ୫ କମ୍ପାନି ରାପିଡ୍ ଆକ୍ସନ ଫୋର୍ସ ରହିବେ ବୋଲି ଡିଜିପି ଅରୁଣ କୁମାର ଷଡ଼ଙ୍ଗୀ କହିଛନ୍ତି।
ସେହିପରି ଜଳପଥ ପାଟ୍ରୋଲିଂ ପାଇଁ କୋଷ୍ଟଗାର୍ଡ ମଧ୍ୟ ନିୟୋଜିତ ରହିବେ। ସେହିପରି ଟ୍ରାଫିକ୍ ନିୟନ୍ତ୍ରଣ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଡ୍ରୋନ୍ ବ୍ୟବହାର କରାଯିବ। ସୁରକ୍ଷା ପାଇଁ ବିଭିନ୍ନ ହୋଟେଲ ଏବଂ ଲଜିଂ ଆଦିକୁ ଯାଞ୍ଚ ମଧ୍ୟ କରାଯାଉଛି ବୋଲି ଡିଜିପି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି । ତେବେ ଚଳିତବର୍ଷ ଦୁଇ ଦିନ ଧରି ରଥଯାତ୍ରା ଏବଂ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୋଲିସ ପକ୍ଷରୁ ପ୍ରାୟ ୧୮୦ ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ମିଳିଛି। ପୂର୍ବରୁ ଶ୍ରୀମନ୍ଦିର ଓ ତିନି ରଥକୁ ତିନି ଥାକିଆ ସୁରକ୍ଷା ବଳୟ ମଧ୍ୟରେ ରଖାଯାଉଥିବା ବେଳେ ଚଳିତବର୍ଷ ରାଷ୍ଟ୍ରପତି ଆସୁଥିବାରୁ ତାଙ୍କ ସୁରକ୍ଷାକୁ ମଧ୍ୟ ପ୍ରାଥମିକତା ଦିଆଯିବ। ବିଗତ ବର୍ଷ ତୁଳନାରେ ଚଳିତ ବର୍ଷପ୍ରବଳ ଭକ୍ତଙ୍କ ସମାଗମ ହେବ। ତେଣୁ ରଥଯାତ୍ରାକୁ ଶାନ୍ତି ଶୃଙ୍ଖଳା ଓ ସୁରୁଖୁରୁରେ ଶେଷ କରିବା ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ।