କୋରାପୁଟ: ପିଚୁ ଟ୍ୟାଙ୍କର ଅଦା ବୋଝେଇ ଟ୍ରକ୍ରେ ଚାଲାଣ ହେଉଥିଲା ଗଞ୍ଜେଇ, ମାଡ଼ିବସିଲା ପୋଲିସ
କୋରାପୁଟ(କେନ୍ୟୁଜ୍): କୋରାପୁଟ ଟାଉନ ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରା ଚାଲାଣ କରାଯାଉଥିବା ବେଳେ ୧୭ କ୍ବିଣ୍ଟାଲ ୫୨ କେଜି ଗଞ୍ଜେଇ ସହ ୧୦ ଚକିଆ ଟ୍ରକ ଜବତ ଓ ୮ ଜଣକୁ ଗିରଫ କରିଛି ପୋଲିସ। ଏଥିସହ ଗଞ୍ଜେଇ ଗାଡିକୁ ପାରି କରାଇବା ସକାଶେ ବ୍ୟବହୃତ ୩ଟି ଗାଡିକୁ ମଧ୍ୟ ଜବତ କରିଛି ପୋଲିସ। ଜବତ ଗାଡି ମଧ୍ୟରେ ଗୋଟାଏ ବୋଲେରୋ, ଗୋଟାଏ ମାରୁତି ସୁଜୁକି ଅଲ୍ଟୋ କାର ଓ ଗୋଟାଏ ମୋଟର ସାଇକେଲ ରହିଛି। ଜବତ ଗଞ୍ଜେଇର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ବୋଲି କୋରାପୁଟ ଥାନା ଆଇଆଇସି ଧିରେନ ପଟ୍ଟନାୟକ କହିଛନ୍ତି। ୧୦ ଚକିଆ ଟ୍ରକଯୋଗେ ଅଦା ସହ ଗଞ୍ଜେଇ ଭର୍ତ୍ତିକରି ପଟାଙ୍ଗିରୁ ବିହାର ଚାଲାଣ କରାଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛି। ଏହି ଘଟଣାରେ କୋରାପୁଟ ପୋଲିସ ୮ଜଣକୁ ଗିରଫ କରିବାରେ ସଫଳ ହୋଇଛି।
ସେହିଭଳି ପିଚୁ ଟ୍ୟାଙ୍କର ଭିତରେ ଗଞ୍ଜେଇ ଭର୍ତ୍ତିକରି ବିହାରକୁ ଚାଲାଣ କରାଯାଉଥିବା ବେଳେ ୨୬ ନଂ ଜାତୀୟ ରାଜପଥର କୁଟୁଗାଁ ଛକ ନିକଟରେ ସେମିଳିଗୁଡା ପୋଲିସ ଦ୍ବାରା ଧରାପଡିଛି। ଟ୍ୟାଙ୍କରରୁ ୬୭୫ କେଜି ଗଞ୍ଜେଇ ଜବତ କରିଛି ପୋଲିସ। ଏହି ସବୁ ଗଞ୍ଜେଇ ପଟାଙ୍ଗି ଅଞ୍ଚଳରୁ ବିହାରକୁ ଚାଲାଣ କରାଯାଉଥିଲା ବୋଲି ପୋଲିସ କହିଛି । ତେବେ ସେମିଳିଗୁଡା ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରିପାରିନାହିଁ। ଖୁବ ଶୀଘ୍ର ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେମୁଳିଗୁଡା ପୋଲିସ କହିଛି।