ହାତ ଗଣ୍ଠି ପଡ଼ିବା ପୂର୍ବରୁ ବାଲ୍ୟ ବିବାହ ରୋକିଲା ପୋଲିସ, ଖାଲି ହାତରେ ଫେରିଲା ବର

ସଜା ହେଇଛି ମଣ୍ଡପ । ତିଆରି ହୋଇଛି ବିବାହ ବେଦି । ଏପଟେ ବରଯାତ୍ରୀ ସହ ଆସି ବର ବସିଛନ୍ତି କାର ଭିତରେ । ମନ୍ଦିର ଭିତରେ ଜୋରସୋରରେ ଚାଲିଥିଲା ବିବାହ ଆୟୋଜନ । ବାହାଘରର ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । କିନ୍ତୁ ବର କନ୍ୟାଙ୍କ ହାତ ଗଣ୍ଠି ପଡ଼ିବାର ଠିକ୍ ଆଗରୁ ଅଚାନକ ଘଟିଲା ଏକ ଅଭାବନୀୟ ଘଟଣା । ପୋଲିସ୍ ସହ ପହଞ୍ଚି ଗଲେ ସିଡବ୍ଲୁସି ଅଧିକାରୀ । ଆଉ ବାହାଘର ବନ୍ଦ କରିବାକୁ କହିଲେ । କାରଣ ଏହି ବେଦିରେ ବାହା ହେବାକୁ ଯାଉଥିଲେ ଜଣେ ନାବାଳିକା । ଏ ଖବର ପାଇ ସେଠାରେ ତୁରନ୍ତ ପହଞ୍ଚିଥିଲେ ପୋଲିସ ଆଉ ରୋକିଥିଲେ ବାହାଘରକୁ ।
କଟକ ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କ ସହିତ ସାଲେପୁର ଥାନା ଅଧୀନ ଶଙ୍ଖମୁଁହ ଗାଁର କ୍ଷୀର ପ୍ରଧାନଙ୍କ ପୁଅ ଭବାନୀ ପ୍ରଧାନଙ୍କ ବିବାହ ସ୍ଥିର ହୋଇଥିଲା । ତେବେ ଉଭୟ ପୁଅ ଓ ଝିଅ ଘର ବୋଧେ ଭୁଲି ଗଲେ ଯେ ଆଇନ ଅନୁସାରେ ଜଣେ ନାବାଳିକାର ବାହାଘର ହୋଇ ପାରିବ ନାହିଁ । ଏହି ଝିଅଟିର ବୟସ ମାତ୍ର ୧୫ ବର୍ଷ । ସାଲେପୁରର ରାମେଶ୍ବର ହନୁମଞ୍ଚେଶ୍ୱର୍ ମନ୍ଦିର ପରିସରରେ ଚାଲିଥିଲା ଏହି ବାହାଘର। କିନ୍ତୁ ଠିକଣା ସମୟରେ ପହଞ୍ଚି ଏହାକୁ ବନ୍ଦ କରିଛନ୍ତି ସିଡବ୍ଳୁସି ଓ ପୋଲିସ୍ ।..
ଶିଶୁ ସୁରକ୍ଷା କର୍ମଚାରୀ ବାହାଘରକୁ ରୋକିବା ସହିତ ବାଲ୍ୟ ବିବାହର ଅସୁବିଧା ବିଷୟରେ କନ୍ୟାର ମା’ଙ୍କୁ ବୁଝାଇଥିଲେ । ବାହାଘର ବନ୍ଦ କରିବା ସହ ନାବାଳିକାକୁ ଉଦ୍ଧାର କରି ମାତୃ ମଙ୍ଗଳ ସଂସ୍ଥାକୁ ନିଆଯାଇଛି । ଅନ୍ୟପଟେ ନାବାଳିକାଙ୍କ ମା’ ହେଉଛନ୍ତି ଜଣେ ବିଧବା ମହିଳା । ତାଙ୍କ ଉପରେ ଉପରେ ତିନି ତିନିଟି ଛୁଆର ବୋଝ । ଚଳିବା ପାଇଁ କାହାର ବି ସହାରା ନାହିଁ । ଯେଉଁଥି ପାଇଁ ସେ ଏତେ ଶୀଘ୍ର ଝିଅର ବାହାଘର କରାଇ ଦେବା ପାଇଁ ଚାହୁଁଥିଲେ ବୋଲି କହିଛନ୍ତି ନାବାଳିକାର ମା’ । ଅନ୍ୟପଟେ ବରଙ୍କ ପିତା ଝିଅର ବୟସ ଜାଣିନଥିବାରୁ ଏହି ବିବାହରେ ରାଜି ହୋଇଥିଲେ ବୋଲି କହିଛନ୍ତି ।
ହୁଏତ ନିରାଶ୍ରୟ ମାଆଟିର ଗରିବୀ ତାକୁ ଏ କାମ କରିବାକୁ ବାଧ୍ୟ କରିଥାଇ ପାରେ । ହେଲେ ବରଘର କଣ ବୁଝି ପାରିଲେନି ନା ଜାଣିବାକୁ ଚାହିଁଲେନି । ଏପଟେ ପ୍ରଶାସନ ମଧ୍ୟ ଏଭଳି ସ୍ଥିତି ନଉପୁଜିବା ପାଇଁ ସଚେତନ କରିବା ସହ ଲୋକଙ୍କ ଦୁଃଖ ବି ବୁଝିବା ଉଚିତ । କାରଣ ବାଲ୍ୟ ବିବାହ ଏକ ସାମାଜିକ ବ୍ୟାଧି ।
Also read: ଅନ୍ଧବିଶ୍ୱାସ ଆଗରେ ଫିକା ପଡିଛି ସଚେତନତା, ରାୟଗଡା ଜିଲ୍ଲାରେ ଚିନ୍ତା ବଢାଇଛି ବାଲ୍ୟ ବିବାହ