ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ମୃତ୍ୟୁକୁ ନେଇ ସନ୍ଦେହ, ପୋଲିସ ତଦନ୍ତ ଜାରି

ବ୍ରହ୍ମପୁର : ବ୍ରହ୍ମପୁର ସଦର ଥାନା ଅନଗର୍ତ ବେନ୍ଦାଳିଆ ଗାଁର ଅଭାବନୀୟ ଘଟଣା । ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ଜଣକ ହେଲେ ଶ୍ରୀୟା ସେଠୀ । ମୃତଦେହ ନିକଟରୁ ମିଳିଲା ସୁଇସାଇଡ଼ ନୋଟ । ବେନ୍ଦାଳିଆ ଗ୍ରାମର ନରୀ ସେଠୀଙ୍କ ଝିଅ ଶ୍ରୀୟା ସନ୍ଧ୍ୟାରେ ଘରେ ଏକୁଟିଆ ଥିବା ସମୟରେ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ମାମୁଁ ମିଥୁନ ସେଠୀ ଜାଣିବାକୁ ପାଇଥିଲେ ।  ଏନେଇ ଜାଣିବା ପରେ ମିଥୁନ ଗାଁକୁ ଯାଇ ଦେଖିଲା ବେଳକୁ ଶ୍ରୀୟାଙ୍କ ମୃତଦେହ ତଳେ ପଡ଼ିଥିଲା । କିନ୍ତୁ ଶ୍ରୀୟା ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଥିବା ନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି  ।

ଏନେଇ ପୋଲିସ ବର୍ତ୍ତମାନ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଆଜି ଶ୍ରୀୟାଙ୍କ ମୃତଦେହକୁ ବ୍ରହ୍ମପୁର ଏମକେସିଜି ମେଡ଼ିକାଲରେ ବ୍ୟବଚ୍ଛେଦ କରାଯାଇଛି ।  ତେବେ ଶ୍ରୀୟାଙ୍କ ମାଙ୍କ ମୃତ୍ୟୁ ହେବା ପରେ ଗତ କିଛି ବର୍ଷ ପୂର୍ବରୁ ତାଙ୍କ ବାପା ନରୀ ସେଠୀ ପିଙ୍କି ସେଠୀ ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ସାପ କାମୁଡ଼ାରେ ନରୀଙ୍କ ମୃତ୍ୟୁ ହେବା ପରେ ପିଙ୍କି ସେଠୀ ଶ୍ରୀୟାଙ୍କୁ ଅକଥନୀୟ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଅଭିଯୋଗକୁ ନେଇ ପୂର୍ବରୁ ଗାଁ କମିଟିରେ ଏହାର ସମାଧାନ ହେବା ସହିତ ପିଙ୍କି ଆଉ ଶ୍ରୀୟାଙ୍କୁ ମାଡ଼ ମାରିବେ ନାହିଁ ବୋଲି ମଧ୍ୟ କହିଥିଲେ ।

ଗତ କିଛି ଦିନ ହେଲା ଶ୍ରୀୟାଙ୍କୁ ପିଙ୍କି ନିର୍ଯାତନା ଦେବା ସହିତ ଖାଇବାକୁ ଦେଉନଥିଲେ ଅଭିଯୋଗ । ଯାହାଫଳରେ ଶ୍ରୀୟା ଗାଁ ଲୋକଙ୍କୁ  ମାଗି ଖାଉଥିଲେ । ଆଉ ଶେଷରେ ପିଙ୍କି ହିଁ ଶ୍ରୀୟାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଛି ବୋଲି ଶ୍ରୀୟାଙ୍କ ମାମୁଁ ସଞ୍ଜୟ ସେଠୀ ଅଭିଯୋଗ କରିଛନ୍ତି ।

ଏହାଛଡ଼ା ଶ୍ରୀୟାଙ୍କ ମୃତଦେହ ନିକଟରୁ ତାର ହାତଲେଖା ଚିଠି ମିଳିଛି । ସେଥିରେ ସେ ତାର ବଡ଼ ଭଉଣୀଙ୍କୁ ପିଙ୍କିଙ୍କ ପାଖରେ ନ ରଖିବା ପାଇଁ କହିଛି । ଏଥିରୁ ସ୍ପଷ୍ଟ ପିଙ୍କି ହିଁ ଶ୍ରୀୟାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଛି ବୋଲି ଅଭିଯୋଗ କରିଛନ୍ତି ଶ୍ରୀୟାଙ୍କ ମାମୁଁ ସଞ୍ଜୟ ସେଠୀ  । ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଛି । ପିଙ୍କିଙ୍କୁ ଘଟଣାକୁ ନେଇ ଅଧିକ ପଚରାଉଚୁରା କରାଯାଉଛି । ତଦନ୍ତ ପରେ ଯାହା ଜଣାପଡ଼ିବ ସେ ନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।