ମହିଳା ବ୍ଲାକମେଲର ପାଖରୁ ଜବତ ହୋଇଛି ୪ଟି ମୋବାଇଲ୍‌, ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବ ପୋଲିସ

ଭୁବନେଶ୍ବର(କେନ୍ୟୁଜ୍):ଖୋଲିବ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲ୍‌ ଗୁମର । ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଧମକାଉଥିବା ଅଭିଯୋଗରେ ଭୁବନେଶ୍ୱରରୁ ଜଣେ ମହିଳା ଗିରଫ ପରେ ତନାଘନା ତଦନ୍ତ । ମହିଳା ବ୍ଲାକମେଲର ଅର୍ଚ୍ଚନା ନାଗ । ଗତକାଲି ତାଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବ୍ଲାକମେଲିଂ କରି ଟଙ୍କା ହଡପ କରୁଥିବା ଅଭିଯୋଗରେ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ଗିରଫ ଅର୍ଚ୍ଚନାଙ୍କ ନାଁ ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ଅର୍ଚ୍ଚନା ଓ ଆଉ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ନାଁରେ ଅଭିଯୋଗ ହୋଇଥିଲା । ଅକ୍ଷୟ ପରିଜା ନିଜ ଏତଲାରେ ଦର୍ଶାଇଥିଲେ, ଅର୍ଚ୍ଚନା ଓ ୨୩ ବର୍ଷୀୟ ଯୁବତୀ ତାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର କରି ମୋଟା ଅଙ୍କର ଟଙ୍କା ଆଦାୟ ଯୋଜନା କରିଥିଲେ । ସୋସିଆଲ୍‌ ମିଡିଆରେ ଅକ୍ଷୟ ପରିଜାଙ୍କୁ ଫଲୋ କରୁଥିଲେ ୨୩ ବର୍ଷୀୟ ଯୁବତୀ । ତାଙ୍କ ସହ ହ୍ଵାଟସଆପରେ କଥାବାର୍ତ୍ତା କରୁଥିଲେ ଅକ୍ଷୟ ପରିଜା । ଫିଲ୍ମ କିମ୍ବା ବ୍ୟବସାୟରେ କାମ ଦେବାକୁ ଅନୁରୋଧ କରିଥିଲେ ଯୁବତୀ । ନିଜର ବ୍ୟକ୍ତିଗତ ସମସ୍ୟା ବାବଦରେ ବି ଅକ୍ଷୟ ପରିଜାଙ୍କୁ ଜଣାଇଥିଲେ । ଏପରିକି ତାଙ୍କୁ ବିୟୁଟି ପାର୍ଲର କରିବା ପାଇଁ ୫ ଲକ୍ଷ ଟଙ୍କା ମାଗିଥିଲେ ଯୁବତୀ ।

ସେପ୍ଟେମ୍ବର ୭, ୨୦୨୨ । ଅର୍ଚ୍ଚନା ନାଗଙ୍କ ପାଖରୁ ଗୋଟିଏ ମେସେଜ୍‌ ପାଇଥିଲେ ଅକ୍ଷୟ ପରିଜା । ନିଜକୁ ଓକିଲର ପରିଚୟ ଦେଇଥିଲେ । କହିଥିଲେ ତାଙ୍କ ପାଖରେ ଗୋଟିଏ ଭିଡିଓ ଅଛି । ଯେଉଁଥିରେ ରହିଛି ଅକ୍ଷୟ ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ଟଙ୍କା ମାଗିଥିଲେ । ଧମକାଇଥିଲେ ନହେଲେ କେସ୍‌ କରିବେ । ପୋଲିସ ପାଖକୁ ଯିବେ । ଏକଥା FIRରେ ଉଲ୍ଲେଖ କରିଛନ୍ତି ଅକ୍ଷୟ ପରିଜା । ଏଥିସହ ସେ ଦର୍ଶାଇଥିଲେ, ତାଙ୍କ ବିରୋଧରେ ଥିବା ଅଭିଯୋଗ ଭିତ୍ତିହୀନ । ତାଙ୍କ ଫଟୋକୁ ମର୍ଫ କରାଯାଇଥାଇପାରେ । ବିଭିନ୍ନ ସମୟରେ ତାଙ୍କୁ ଅର୍ଚ୍ଚନା ଧମକାଉଥିଲେ । ଟଙ୍କା ମାଗିବା ସହ ଆପୋସ ବୁଝାମଣା ପାଇଁ କହୁଥିଲେ ଅର୍ଚ୍ଚନା । ଭୁବନେଶ୍ୱରର ସ୍ୟାଣ୍ଟି ଟାଓ୍ଵାରରେ ତାଙ୍କୁ ଭେଟିଥିବା କହିଛନ୍ତି ଅକ୍ଷୟ ପରିଜା । ୩ କୋଟି ଟଙ୍କା ଦାବି କରିଥିଲେ । ନହେଲେ ଜୀବନରେ ଟିକଟିକ୍‌ କରି ମାରି ଦେବାକୁ ଧମକାଇଥିବା ଅଭିଯୋଗ କରିଛନ୍ତି ଅକ୍ଷୟ ପରିଜା । ତାଙ୍କୁ କହିଥିଲେ, ୨୩ ବର୍ଷୀୟ ଯୁବତୀଙ୍କୁ ଟଙ୍କା ଦିଅ । ନହେଲେ ବରବାଦ କରିଦେବୁ । ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଲିକ୍‌ ହୋଇଥିବା ଅକ୍ଷୟ ପରିଜାଙ୍କୁ ମେସେଜ୍‌ କରିଥିଲେ ଅର୍ଚ୍ଚନା । ପରିଣାମ ଭୋଗ ବୋଲି କହିଥିଲେ । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଥିଲେ ଅକ୍ଷୟ । ନୟାପଲ୍ଲୀ ଥାନା ପୋଲିସ ଅଭିଯୋଗ ଆଧାରରରେ ଖୋଳତାଡ ଚଳାଇଛି ।

ସେପଟେ ଅର୍ଚ୍ଚନାଙ୍କୁ କେଉଁ ଅଭିଯୋଗ ଆଧାରରେ ଗିରଫ କରାଯାଇଛି ସ୍ପଷ୍ଟ କରିନି ପୋଲିସ । କିଏ ଓ କଣ ଅଭିଯୋଗ କରିଥିଲେ ତାଙ୍କ ନାଁରେ ? ପୋଲିସ ମୁହଁ ଖୋଲୁନି । ଏପରିକି ତାଙ୍କ ବିରୋଧରେ ଥିବା ଏଫଆଇଆରକୁ ବି ପୋଲିସ ସାର୍ବଜନୀନ କରିନି । ଏପଟେ ସାମ୍ନାକୁ ଆସିଛିା ଅର୍ଚ୍ଚନାଙ୍କ ବିଳାସପୂର୍ଣ୍ଣ ଘର । ଯେଉଁ ଘରେ ସୁଟିଂ ହେଉଥିଲା ଆଡ୍‌, ସିରିଏଲ୍‌ ଓ ଫିଲ୍ମ । ସେ ଦୁଇଟି ଘୋଢ଼ା କିଣିଥିଲେ । ବାଲିଅନ୍ତାରେ ଥିବା ଅର୍ଚ୍ଚନାଙ୍କ ଫାର୍ମ ହାଉସରେ ଘୋଡ଼ା ଦୁଇଟି ରହିଛି । ଆଗକୁ ତଦନ୍ତ ଆଗେଇଲେ ଅନେକ ଗୁମର ପଦାକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.