ଦୁଃଖ ଆମର ଆଜୀବନ ବନ୍ଧୁ, ମୁରବୀଙ୍କ ସହ ପୂରା ପରିବାର ରୋଗର ଜ୍ୱାଳାରେ ଛଟପଟ, ଖୋଜୁଛନ୍ତି ସରକାରୀ ସହାୟତା

ସାଲେପୁର : ମଣିଷ ହୋଇ ଜନ୍ମ ନେଇଛ ତ ଦୁଃଖ ଆଉ ସୁଖ ସବୁ ଆସିବ । ହେଲେ କିଛି ଲୋକଙ୍କ ପାଇଁ ଯେମିତି ଦୁଃଖ ଆଜୀବନ ବନ୍ଧୁ ହୋଇ ଆସେ । ଏମିତି ଗୋଟିଏ ପରିବାର ହେଉଛି କଟକ ଜିଲ୍ଲା ସୌରୀ ଗାଁର ଅରୁଣ ଭୋଇଙ୍କର । ଏହି ଘରର ତିନି ତିନି ଜଣ ଗୁରୁତର ରୋଗରେ ପୀଡ଼ିତ । ଯିଏ ରୋଜଗାର କରି ପରିବାର ଚଳାଇବା କଥା ତାଙ୍କ ସମେତ ପିଲା ବି ବାଦ୍‌ ପଡ଼ି ନାହାନ୍ତି ଏହି ରୋଗର ଜ୍ୱାଳାରୁ । ଚଳିବା ପାଇଁ ଜମି ଗୁଣ୍ଠେ ନଥିବା ବେଳେ ଏହି ଅସାଧ୍ୟ ରୋଗ ସେମାନଙ୍କ ଦାରିଦ୍ର୍ୟ ଅବସ୍ଥାକୁ ଯେମିତି ଉପହାସ କରୁଛି । ପରର ମୂଲ ଲାଗିଲେ ଚଳେ ଏହି ପରିବାର । ସେଥିରେ ପୁଣି ଔଷଧ ଖର୍ଚ୍ଚ । ଆଉ କେଉଁଠୁ ଅର୍ଥ ଆସିବ ଯେ ଚିକିତ୍ସା କରିବେ ?

ଏଭଳି ବିଷମ ପରିସ୍ଥିତିରେ ପ୍ରଶାସନ ଓ ସହ ହୃଦୟ ବ୍ୟକ୍ତିଙ୍କ ସହାୟତା ଅପେକ୍ଷାରେ ଅନାଇ ବସିଛନ୍ତି ଅରୁଣ କୁମାର ଭୋଇଙ୍କ ପରିବାର। ଅରୁଣଙ୍କ ବାପା ହୃଦ ରୋଗରେ ପୀଡିତ ଥିଲା ବେଳେ ଅରୁଣ ନିଜେ ମଧ୍ୟ ବ୍ରେନ ଷ୍ଟୋକରେ ପୀଡିତ। ପୁଣି ତାଙ୍କ ୨୦ ବର୍ଷର ପୁଅ ଜନ୍ମରୁ ଦିବ୍ୟାଙ୍ଗ ।

କଟକ ଜିଲ୍ଲା ସାଲେପୁର ବ୍ଲକ ସୌରୀ ପଞ୍ଚାୟତରେ ଅରୁଣଙ୍କ ଘର । ଏହି ଚାଳ ଛପର ଘରେ ରୁହନ୍ତି ୬ ପ୍ରାଣୀ କୁଟୁମ୍ବ । ଅରୁଣଙ୍କ ବୟସ ପାଖାପାଖି ୪୫ ବର୍ଷ। ବ୍ରେନଷ୍ଟୋକ ରୋଗରେ ପୀଡିତ ହେବା ପରେ ଆଉ କାମ କରି ପାରୁନାହାନ୍ତି । ଏବେ ପରିବାରର ସବୁ ଦାୟିତ୍ୱ ଅରୁଣଙ୍କ ପତ୍ନୀଙ୍କ ଉପରେ। ଅରୁଣ କଟକ ମେଡିକାଲରେ ଚିକିତ୍ସିତ ହେଉଥିଲେ ହେଲେ ସମ୍ବଳ ଅଭାବରୁ ଏବେ ଆସି ଘରେ ପଡି ରହିଛନ୍ତି । ଏହି କଷ୍ଟକର ସମୟରେ ସାହିପଡ଼ିଶା ସାହାଯ୍ୟ ସହଯୋଗ ବ୍ରେନ ଷ୍ଟ୍ରୋକ୍‌ ରୋଗୀ ଅରୁଣଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ ଭଳି। ଏବେ ସାହାୟତା ପାଇଁ ଅପେକ୍ଷା ଛଡ଼ା ଆଉ କିଛି ବାଟ ହିଁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.