ପାଟଣାଗଡ଼ : ମାଆ ତାର ଛୁଆକୁ ସ୍ତନପାନ ବି କରାଇନି । ଭଲଭାବେ ଦେଖିନି ବି ତା ଛୁଆକୁ । କେମିତି ବା ଦେଖିବ ଆଜି ଜନ୍ମ କଲା ଆଉ କାଲି ମାଆ କୋଳ ଛାଡିଦେଲା ସଦ୍ୟଜାତ । ଭଲଭାବେ ମାଆର ସ୍ପର୍ଷ ବି ବାଜିନଥିଲା, କହଁଳ ହାତର ସ୍ପର୍ଶକୁ ମାଆ ବି ଅନୁଭବ କରିନଥିଲା, ହେଲେ ତାପୂର୍ବରୁ ଅଲଗା ହେଇଗଲେ ମାଆ ଓ ଶିଶୁ ।
ଜନ୍ମ କରି ଅନ୍ୟ ହାତକୁ ଟେକିଦେଲା ମାଆ…
ଦାରିଦ୍ର୍ୟ ଆଗରେ ଭୁଲିଗଲା ମାତୃତ୍ବ…
ମାତ୍ର କେଇ ଘଣ୍ଟାର ଛୁଆକୁ ଅନ୍ୟକୁ ଦେଇଦେଲା ମାଆ…
ହଁ ଆଜ୍ଞା ନିଜ ସଦ୍ୟଜାତ ଶିଶୁ କନ୍ୟାକୁ ପାଳିପୋଷି ମଣିଷ କରିପାରିବନି ବୋଲି ଅନ୍ୟ ହାତକୁ ଟେକିଦେଇଛି ମା । ନିଜର ଗରିବ ପରିସ୍ଥିତି ଦେଖି ଝିଅର ଭବିଷ୍ୟତ ଚିନ୍ତା କରି ନିଃସନ୍ତାନ ଦମ୍ପତିଙ୍କୁ ନିଜ ଶିଶୁକନ୍ୟା କୁ ଟେକିଦେଇଥିବା ମା କହୁଛି । ହେଲେ ବର୍ତ୍ତମାନ ଅଞ୍ଚଳରେ ଶିଶୁକନ୍ୟାକୁ ବିକ୍ରି କରୁଥିବା ଚର୍ଚ୍ଚା ଜୋର ଧରିଛି । ଶିଶୁ ସୁରକ୍ଷା କମିଟିର ସଦସ୍ୟମାନେ ଅନୁସନ୍ଧାନ ବେଳେ ମାଙ୍କ ଉତ୍ତରରେ ସନ୍ତୁଷ୍ଟ ହୋଇ ପାରୁନଥିବା ବେଳେ ପ୍ରକୃତ ଘଟଣାର ପର୍ଦାଫାଶ ପାଇଁ ମାମଲା ଏବେ ଥାନାରେ।
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଏକ ଦାଦନ ପ୍ରବଣ ଉପାନ୍ତ ଅଞ୍ଚଳ। ଖପ୍ରାଖୋଲ ବ୍ଲକ ଲାଠୋର ଥାନା କରୁଁଆଝର ଗ୍ରାମପଞ୍ଚାୟତ ସାନଗୁର୍ଜିଭଟା ଗାଁ ର ପାଲିପଡ଼ା ରେ ରୁହନ୍ତି ଅମୃତ ନାଗ ଓ ଅରୁଣାବତୀ ନାଗ। ଦମ୍ପତିଙ୍କର ପୂର୍ବରୁ ୫ଟି ସନ୍ତାନ ଥିବାବେଳେ ଗରିବ ଅନାଟନ ହେତୁ ପରିବାର ପ୍ରତିପୋଷଣ ପାଇଁ ପ୍ରତିବର୍ଷ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବରେ କାମକରି ଯାଇଥାନ୍ତି। ଗତ ନଭେମ୍ବର ୨ ତାରିଖରେ ଅରୁଣାବତୀ ନିକଟସ୍ତ ସୁନାମୁଦୀ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ବେଳେ ୩ ତାରିଖ ଦିନ ମା ଓ ଶିଶୁର ସ୍ୱାସ୍ଥ୍ୟବସ୍ତା ବୁଝିବା ପାଇଁ ସ୍ଥାନୀୟ ଆଶାକର୍ମୀ ଯେତେବେଳେ ତାଙ୍କ ଘରେ ପହଁଚିଥିଲେ ସେତେବେଳେ ନବଜାତ ଶିଶୁ କନ୍ୟାକୁ ପାଇଲେନି କି ମାଆ କିଛି କହିଲାନି । ଯାହାକୁ ନେଇ ସନ୍ଦେହ ପ୍ରକାଶ କଲେ ଆଶାକର୍ମୀ । ଘରେ ମା ଅଛି ହେଲେ ଶିଶୁକନ୍ୟା ନଥିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ ଆଶାକର୍ମୀ ।
ଶିଶୁ ବିକ୍ରି ଚର୍ଚ୍ଚା ଅଞ୍ଚଳରେ ଜୋର ଧରିଥିବାବେଳେ ଆଶାଙ୍କ ରିପୋର୍ଟ ଆଧାରରେ ନଭେମ୍ବର ୧୩ ତାରିଖରେ ଅଧିଜ ତଦନ୍ତପାଇଁ ଗାଁରେ ପହଁଚିଥିଲେ ଶିଶୁ ସୁରକ୍ଷା ଟିମ ଓ ପୋଲିସ । ପ୍ରାଥମିକ ତଦନ୍ତରେ ଶିଶୁକନ୍ୟାର ମା ଅରୁଣାବତୀ ତାଙ୍କ ଶିଶୁକନ୍ୟାକୁ କାହାକୁ ଟେକି ଦେଇଛନ୍ତି ଠିକଭାବରେ କହୁନଥିବାରୁ ଓ ଶିଶୁକନ୍ୟାର ବାପା ଘରେ ନଥିବା ହେତୁ ଶିଶୁ ସୁରକ୍ଷା ଟିମର ସଦସ୍ୟମାନେ ସନ୍ତୁଷ୍ଟି ପ୍ରକାଶ ନକରି ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସକୁ ତଦନ୍ତ ଦାୟିତ୍ୱ ଦେଇଥିବା ବେଳେ, ଘଟଣାର ଅନୁସନ୍ଧାନ କରୁଛି ଲାଠୋର ପୋଲିସ।
ମା ନିଜ ଶିଶୁର ଭବିଷ୍ୟତ ପାଇଁ ନିଜର ସଦ୍ୟଜାତ ଶିଶୁକନ୍ୟା କୁ ତାଙ୍କ ସମ୍ପର୍କୀୟ ନିଃସନ୍ତାନ ଦମ୍ପତି ଙ୍କୁ ଟେକି ଦେଇଥିବା କହିଥିବା ବେଳେ ତାଙ୍କ ଉତ୍ତରରେ ସନ୍ତୁଷ୍ଟ ନୁହନ୍ତି ଶିଶୁସୁରକ୍ଷା ଅଧିକାରୀ, ପ୍ରକୁତରେ ଶିଶୁ ବିକ୍ରି ନାଁ ଅନ୍ୟକିଛି ତଦନ୍ତ କରୁଛି ଲାଠୋର ପୋଲିସ।