ଡେଙ୍ଗୁରୁ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ, ଖୁବ୍ ଶୀଘ୍ର ଫେରିବେ ଘରକୁ
ମଞ୍ଚ ହେଉ ଅବା ଆକାଶବାଣୀ, ଆଲବମ୍ ହେଉ ଅବା ଚଳଚ୍ଚିତ୍ର, ୩୫୦୦ରୁ ଊର୍ଧ୍ୱ ଗୀତ ଗାଇ ୫ ଦଶନ୍ଧି ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଥିବା କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ଡେଙ୍ଗୁ । ସେ ବର୍ତ୍ତମାନ ସୁସ୍ଥ ହେଉଥିବାବେଳେ, ଖୁବ୍ ଶୀଘ୍ର ଫେରିବେ ଘରକୁ ।

ଭୁବନେଶ୍ୱର (କେନ୍ୟୁଜ): ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ତାଙ୍କୁ ଡେଙ୍ଗୁ ହୋଇଥିବା ନେଇ ସୁଚନା ମିଳିଛି । ତେବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏହି ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତିନିଧି ଦଳ ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି । ଏହା ସହ ଏକ ଲକ୍ଷ ଟଙ୍କାର ଚେକ୍ ଚିକତ୍ସା ସହାୟତା ପାଇଁ ପ୍ରଦାନ କରିଛନ୍ତି ।
ଉକ୍ତ ପ୍ରତିନିଧି ଦଳରେ ଓଡିଆ ଚଳଚ୍ଚିତ୍ର ଉନ୍ନୟନ ନିଗମ ଅଧ୍ୟକ୍ଷ ସତ୍ୟବ୍ରତ ତ୍ରିପାଠୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ନିର୍ଦ୍ଦେଶକ ଦିଲୀପ ରାଉତରାଏ, ବିଭାଗୀୟ ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଆଚାର୍ଯ୍ୟ, ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ସାମିଲ ଥିଲେ । ତେବେ ସେ ବର୍ତ୍ତମାନ ସୁସ୍ଥ ହେଉଥିବାବେଳେ, ଖୁବ୍ ଶୀଘ୍ର ଘରକୁ ଫେରିବେ ।
୧୯୩୮ ମସିହା ଜାନୁଆରି ୨୦ ତାରିଖରେ କଟକ ବକ୍ସିବଜାର ଯାଚକ ଲେନ୍ରେ ଜନ୍ମ ଗ୍ରହଣ କରିଥିବା ପ୍ରଣବ । ତାଙ୍କୁ ବର୍ତ୍ତମାନ ୮୬ ବର୍ଷ। ୧୯୪୮ରେ ସେ ଶିଶୁ ସଂସାରରେ ଗାଇବା ଆରମ୍ଭ କରିଥିଲେ । ପରେ ଦିଲ୍ଲୀରେ ଆକାଶବାଣୀ ପକ୍ଷରୁ ଏକ ସଂଗୀତ ପ୍ରତିଯୋଗିତାରେ ବି ପ୍ରଥମ ସ୍ଥାନ ଅଧିକାର କରିବାରୁ ବିନା ଅଡିସନ୍ରେ ସେ ଆକାଶବାଣୀରେ ଗାଇବାର ସୁଯୋଗ ପାଇଲେ।
୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା’ରେ ପ୍ରଣବ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି ।
ପିଲାବେଳୁ ବାପାଙ୍କ ‘ଜୀବନ ଚମ୍ପୁ’ ଏବଂ ଅନ୍ୟ ସଂଗୀତ ବହି ପଢ଼ିଥିବା ବେଳେ ସୁକୀର୍ତି ପଟ୍ଟନାୟକଙ୍କଠାରୁ ଗୀତ ଶିଖି ଆଗକୁ ବଢ଼ିଥିଲେ। ପରେ ‘କେ ଏଲ୍ ସାଇଗଲ୍ଙ୍କ ଗୀତ ଶୁଣିବାକୁ ସେ ଭଲ ପାଉଥିବାରୁ ତାଙ୍କୁ ପ୍ରଥମ ଗୁରୁ ଭାବେ ଗ୍ରହଣ କରିଥିଲେ ପରେ ଶାସ୍ତ୍ରୀୟ ସଂଗୀତ ଗୁରୁ ଥିଲେ ପଣ୍ଡିତ କୁଣ୍ଡଳ ଆଦିନାରାୟଣ ରାଓ।
ଏହା ପରେ ବାଳକୃଷ୍ଣ ଦାଶ, ଭୁବନେଶ୍ୱର ମିଶ୍ର, ଶାନ୍ତନୁ ମହାପାତ୍ର ଓ ଗୁରୁକୃଷ୍ଣ ଗୋସ୍ୱାମୀ ପ୍ରଣବଙ୍କ ସଂଗୀତ ସାମ୍ରାଜ୍ୟକୁ ଆଗେଇ ନେଇଥିଲେ। ମଞ୍ଚ ହେଉ ଅବା ଆକାଶବାଣୀ, ଆଲବମ୍ ହେଉ ଅବା ଚଳଚ୍ଚିତ୍ର, ୩୫୦୦ରୁ ଊର୍ଧ୍ୱ ଗୀତ ଗାଇ ୫ ଦଶନ୍ଧି ଧରି ସଂଗୀତ ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ।