ପୋଷ୍ଟ ଅଫିସରେ ଝୁଲୁଛି ତାଲା, ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସ୍ଥାନୀୟ ଲୋକେ
ପୋଷ୍ଟ ଅଫିସରେ ଝୁଲୁଛି ତାଲା । ଲୋକମାନେ କୌଣସି କାର୍ଯ୍ୟ ପାଇଁ ପୋଷ୍ଟ ଅଫିସ ଗଲେ ଗେଟରେ ତାଲା ପଡିଥିବାର ଦେଖି ଘରକୁ ଫେରୁଛନ୍ତି । ଏ ହେଉଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ବ୍ଲକ୍ ଘୋଷରାମାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଶାଖା ପୋଷ୍ଟ ଅଫିସର ଦୃଶ୍ୟ । ଏହି ଶାଖା ପୋଷ୍ଟ ଅଫିସରେ ଅହରହ ଝୁଲୁଛି ତାଲା ତେଣୁ ସ୍ଥାନୀୟ ଲୋକେ ଅନେକ ସମୟରେ ହଇରାଣ ହେଉଛନ୍ତି । ଏଠାକାର ପୋଷ୍ଟ ମାଷ୍ଟର ସବୁବେଳେ କାର୍ଯ୍ୟରେ ଅବହେଳା କରୁଥିବାର ଅଭିଯୋଗ ମଧ୍ୟ ଆସିଛି ।
ଏହି ପୋଷ୍ଟ ଅଫିସ କେତେବେଳେ ଖୋଲୁଛି ଓ ବନ୍ଦ ରହୁଛି ଏଥିପ୍ରତି କାହାର ବି ଦୃଷ୍ଟି ନାହିଁ । ଏହା ପଞ୍ଚାୟତ ଅଫିସ୍ କାର୍ଯ୍ୟାଳୟ ପରିସରରେ ଥିବାରୁ ଏଠାରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟରତ ଜଣେ କର୍ମଚାରୀ ମନ ଇଚ୍ଛା କାର୍ଯ୍ୟାଳୟ ଖୋଲୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ସ୍ଥାନୀୟ ଆଖପାଖ ଲୋକେ କୌଣସି କାମରେ ଚିଠିପତ୍ର ତଥା କୌଣସି କାର୍ଯ୍ୟ ପାଇଁ ପୋଷ୍ଟ ଅଫିସକୁ ଗଲେ ପ୍ରାୟତଃ ବନ୍ଦ ରହୁଥିବା ଦେଖାଦେଇଛି ।
ତେଣୁ ଏଠାକାର ଲୋକେ କୌଣସି ପୋଷ୍ଟ ଅଫିସ କାମ ପାଇଁ ରେଢ଼ାଖୋଲ ବ୍ରାଞ୍ଚ ପୋଷ୍ଟ ଅଫିସ ଉପରେ ନିର୍ଭର କରି ସେଠାରୁ ୧୨୫ କିମି ଦୂର ଆସିଥାନ୍ତି । ଏନେଇ ଏଥିପ୍ରତି ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଗୁରୁତ୍ବ ଦେବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଲୋକେ ନିବେଦନ କରିବା ସହ କାର୍ଯ୍ୟରତ ପୋଷ୍ଟ ମାଷ୍ଟର କାର୍ଯ୍ୟରେ ଅବହେଳା କରୁଥିବା ହେତୁ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ପୋଷ୍ଟ ଅଫିସ କାର୍ଯ୍ୟାଳୟରେ କିଭଳି ମନମୁଖି କାର୍ଯ୍ୟ ଚାଲିଛି ତାର ଏକ ଉଦାହରଣ ଦେଖିବାକୁ ମିଳିଛି ଏଠାରେ । ଏନେଇ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ତୁରନ୍ତ ଏହାର ସମାଧାନ କରିବା ସହ ପୋଷ୍ଟ ଅଫିସ ଖୋଲିବା ପାଇଁ ସ୍ଥାନୀୟ ଲୋକେ ନିବେଦନ କରିଛନ୍ତି । ଯାହା ଦ୍ୱାରା ଆଗାମୀ ସମୟରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।