ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । ଗତକାଲି ଭୋଟ୍ ଗ୍ରହଣ ଶେଷ ହେବା ପରେ ଇଭିଏମ ହେରଫେର ହୋଇଥିବା ସନ୍ଦେହ କରି ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକ ଧର୍ମଶାଳା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ହୋହାଲ୍ଲା କରିବା ସହ ଘେରାଉ କରିଥିଲେ । ପ୍ରଶାସନ ପକ୍ଷରୁ ବ୍ଲକରେ ମହଜୁଦ ଥିବା ଗାଡ଼ିରେ ରିଜର୍ଭ ଇଭିଏମ ବୋଲି ସ୍ପଷ୍ଟ କରାଯାଇଥିଲା । ତଥାପି ଲୋକେ ପାଟିତୁଣ୍ଡ କରିଥିଲେ ।
ପୋଲିସ ପ୍ରଶାସନ ସେଠାରେ ପହଂଚି ବୁଝାସୁଝା କରିଥିଲେ ହେଁ ସେମାନେ ବୁଝି ନଥିଲେ । ଫଳରେ ବାଧ୍ୟ ହୋଇ ପୋଲିସ ଘଉଡାଇ ଥିଲା । ତେବେ ଏହି ସମୟରେ ସମର୍ଥକ ମାନେ ବ୍ୟାପକ ଭଙ୍ଗାରୁଜା କରିଥିବା ଦେଖିବାକୁ ମିଳିଛି । ବ୍ଳକ ସମ୍ମୁଖରେ ଥିବା କଳ୍ପତରୁ ଦାସ ନାସନାଲ ଫାଉଣ୍ଡେସନ କାର୍ଯ୍ୟାଳୟ ଓ ମିଶନ ଶକ୍ତି କାର୍ଯ୍ୟାଳୟ ଓ ଲକ୍ଷ୍ମୀବସକୁ ଭଙ୍ଗାରୁଜା କରିଥିଲେ । ଏହା ସହ ବିଜେଡି ବିଧାୟକ ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କ ନୂଆଗାଁ ସ୍ଥିତ ବାସଭଵନ ସମ୍ମୁଖରେ ହୋହାହ୍ଲା କରିବା ସହ କିଛି ବାଇକକୁ ଭଙ୍ଗାରୁଜା କରିଥିଲେ । ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିବାରୁ ପୋଲିସ ମୁତୟନ ରହିଛନ୍ତି ।