ଦିନରେ ଚାକିରି ରାତିରେ ଚା’ ଦୋକାନ
ଉଦଳା : ପୋଷ୍ଟ ମାଷ୍ଟର ଚାକିରି କରିଛନ୍ତି ତା ସହ ପୁଣି ଚା ଦୋକାନ । ମୟୁରଭଞ୍ଜ ଜିଲ୍ଲା ଉଦଳା କୁଅଁରପାଳ ଗାଁର ଏ ହେଉଛନ୍ତି ଉତ୍ତମ କୁମାର ମହାନ୍ତି । ତାଙ୍କ ବାପା ଅନନ୍ତ ମହାନ୍ତି । ସେ ଜଣେ ଚାଷୀ । ଉତ୍ତମ ଗଡିଗାଁ ପୋଷ୍ଟ ଅଫିସରେ ଜିଡ଼ିଏସ୍ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରନ୍ତି । ଆଜକୁ ୩ ବର୍ଷ ହେବ ଚାକିରି ପାଇ କାର୍ଯ୍ୟ କରି ଆସୁଛନ୍ତି । ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଉତ୍ତମ ମେଧାବୀ ଛାତ୍ର ଥିଲେ ।
ପରିବାରର ଆର୍ଥିକ ଅନଟନ ଭିତରେ ପାଠ ପଢି ଚାକିରି କରିଛନ୍ତି । ଏବେ ପୁରା ପରିବାରର ବୋଝ ତାଙ୍କ ମୁଣ୍ଡ ଉପରେ । ହେଲେ ସବୁଠୁ ବଡ଼ କଥା ହେଉଛି ଚାକିରି ସହ ଚା ଦୋକାନ କରି ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି ।
ଉତ୍ତମ ଉଦଳା ବଜାରରେ ଗୋଟିଏ ଚା ଦୋକାନ କରିଛନ୍ତି । ପ୍ରତେକ ଦିନ ସକାଳ ହେଲେ ନିଜ ଅଫିସ କାମ ସାରି ସନ୍ଧ୍ୟା ରେ ଚା ଦୋକାନ ଖୋଲନ୍ତି । ସନ୍ଧ୍ୟା ହେଲେ ସ୍ୱାଦିଷ୍ଟ ଚା ପାଇଁ ଦୋକାନ ରେ ଭିଡ଼ ଲାଗିଯାଏ । ସ୍ଥାନୀୟ ଅଞ୍ଚଳରେ ଶାନ୍ତ ସରଳ ସ୍ବଭାବର ମଣିଷ ବୋଲି ସବୁଠି ବେଶ୍ ଜଣାଶୁଣା । ତାଙ୍କର ବ୍ୟବହାର ସମସ୍ତ ଙ୍କୁ ଆକୃଷ୍ଟ କରିଥାଏ । ଅଫିସକୁ ଆସୁଥିବା ଲୋକ ମାନଙ୍କୁ ସେବା ଯୋଗାଇ ଦେବାରେ କେବେବି ଅବହେଳା କରନ୍ତି ନାହିଁ ଉତ୍ତମ। ଚାକିରୀ କରି ଯେଉଁ ସମୟ ବଞ୍ଚୁଛି ସେହି ସମୟକୁ ନଷ୍ଟ ନକରି ଚା ଦୋକାନ କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ।